ଆମେରିକାର 47 ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡ଼ୋନାଲ୍ଟ ଟ୍ରମ୍ପ । ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ଆମେରିକାର 47 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଳିକାନ ନେତା ଜେଡ଼ି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ବିଚାରପତି ଜନ ରବର୍ଟସ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ ଟ୍ରମ୍ପଙ୍କ ଶପଥ ଗ୍ରହଣ ମସାରୋହ ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠି ହୋଇଛି । ପ୍ରବଳ ଥଣ୍ଡା ଯୋଗୁ ସଂସଦ ଭବନରେ ଶପଥ ସମାରୋହ ଅନୁଷ୍ଠିତ ହୋଇଛି ।
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ହ୍ୱାଇଟ୍ ହାଉସ୍କୁ ଫେରିଛନ୍ତି । ଟ୍ରମ୍ପଙ୍କ ଶପଥ ପରେ ସରିବ କି ରୁଷ-ୟୁକ୍ରେନ୍ ଯୁଦ୍ଧ ତା ଉପରେ ସାରା ବିଶ୍ବର ନଜର ରହିଛି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିର୍ବାଚିତ ହେବା ପରେ ଯୁଦ୍ଧ ଶେଷ ହେବ ବୋଲି କହିଥିଲେ । ଏବେ ତାଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ୨୦୦ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିବେ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଦେଖାଦେଇଥିବା ବୈଶ୍ବିକ ସଙ୍କଟ ନେଇ ଟ୍ରମ୍ପ କହିଛନ୍ତି, ସେ ୟୁକ୍ରେନରେ ଯୁଦ୍ଧ ଶେଷ କରିବେ । ମଧ୍ୟପ୍ରାଚ୍ୟରେ ବିଶୃଙ୍ଖଳା ବନ୍ଦ କରିବା ସହ ତୃତୀୟ ବିଶ୍ୱଯୁଦ୍ଧକୁ ମଧ୍ୟ ବନ୍ଦ କରିବେ । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ 15 ମାସ ଆରି ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ଟ୍ରମ୍ପ ଗାଜା ଅସ୍ତ୍ରବିରତି ଚୁକ୍ତିର ଶ୍ରେୟ ନେଇଛନ୍ତି । ଦାବି କରିଛନ୍ତି ଯେ ଯଦି ସେ ସେହି ସମୟରେ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଯୁଦ୍ଧ ହୋଇ ନଥାନ୍ତା । ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଭାବେ ଅସ୍ତ୍ରବିରତି ଚୁକ୍ତି ହାସଲ କରିଛୁ ବୋଲି ଟ୍ରମ୍ପ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ନେବା ପରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ‘‘ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଅଭିନନ୍ଦନ । ପୁଣି ଥରେ ଦୁଇ ଦେଶ ମିଳିତ ଭାବରେ କାର୍ଯ୍ୟ କରିବା ସହ ଏକ ଭଲ ଭବିଷ୍ୟତ ଗଠନ କରିବାକୁ ଅପେକ୍ଷା କରିଛି।’’
ତେବେ ଭାରତର ପ୍ରତିନିଧିତ୍ବ କରୁଥିବା ଏସ୍.ଜୟଶଙ୍କରଙ୍କ ହାତରେ ମୋଦୀ ଏକ ସ୍ବତନ୍ତ୍ର ଚିଠି ପଠାଇଛନ୍ତି । ସେହିପରି ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ନୂଆ ସରକାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଇସ୍ରାଏଲ, କାନାଡା, ବ୍ରିଟେନ ରାଷ୍ଠ୍ରନେତା ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।