ରୁଷ ଯୁକ୍ରେନ ଯୁଦ୍ଧରେ 12 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥବା ବେଳେ ଅନ୍ୟ 16 ଜଣ ନିଖୋଜ ଅଛନ୍ତି ଏବଂ 96 ଜଣ ଭାରତ ଫେରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମୃତ ଭାରତୀୟମାନେ ରୁଷ ପକ୍ଷରୁ ଲଢେଇ କରୁଥିଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବର୍ତମାନ ସୁଦ୍ଧା ରୁଷୀୟ ସେନାର 126 ଜଣ ଭାରତୀୟ କାର୍ଯ୍ୟରତ ଥିବା ଖବର ମିଳିଛି । ଏହି 126 ଜଣଙ୍କ ମଧ୍ୟରୁ 96 ଜଣ ଭାରତ ଫେରିଛନ୍ତି ଏବଂ ରୁଷୀୟ ସଶସ୍ତ୍ର ବାହିନୀରୁ ଡ଼ିସଚାର୍ଜ ହୋଇଛନ୍ତି । ଏହାପରେ ରୁଷ୍ ସେନାରେ ୧୮ ଜଣ ଭାରତୀୟ ନାଗରିକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ କେଉଁଠି ଅଛନ୍ତି ତାହା ଜଣାପଡ଼ିନାହିଁ।
ରୁଷ୍ ପକ୍ଷରୁ ସେମାନଙ୍କୁ ନିଖୋଜ ବୋଲି ଦର୍ଶାଯାଇଛି। ବାକି ୨ ଜଣଙ୍କୁ ଶୀଘ୍ର ମୁକ୍ତ କରିବା ଓ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରାଯାଇଛି। ତେବେ ରୁଷ୍ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ୍ ସହ ରୁଷ୍ର ଚାଲିଥିବା ସଂଘର୍ଷରେ ରୁଷୀୟ ସେନା ଦ୍ୱାରା ନିଯୁକ୍ତ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିବା ଓ ଅନ୍ୟ ଜଣେ ଆହତ ହେବା ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରତିକ୍ରିୟା ରଖିଛି। ୟୁକ୍ରେନ୍ ସଂଘର୍ଷରେ ନିକଟରେ କେରଳର ବିନିଲ ବାବୁଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି। ଅନ୍ୟ ଜଣେ ଭାରତୀୟ ଜୈନ ଟିକେ ମସ୍କୋରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ଚିକିତ୍ସା ସରିବା ପରେ ସେ ଭାରତ ଫେରିବେ ବୋଲି ଆଶା କରାଯାଉଛି।