ଦିଲ୍ଲୀ ଅବକାରୀ ନୀତି 2021-22 ରେ ଅନିୟମିତତା ଅଭିଯୋଗରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛି । ଗତ ନଭେମ୍ବର 6 ତାରିଖରେ ସୁପ୍ରିମକୋର୍ଟ ମନିଲଣ୍ଡରିଂ ମାମଲାରେ କ୍ରିମିନାଲ ପ୍ରୋସିଜିଓର କୋର୍ଡ଼ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଇଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଭଳି ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ରାୟ ଦେବାର କିଛି ମାସ ପରେ ଏହି ପଦକ୍ଷେପ ନିଆଯାଇଛି । ଅନୁମୋଦନ ଅଭାବରୁ ଦିଲ୍ଲୀର ଏକ ଅଦାଲତରେ କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇପାରି ନଥିଲା ।
ରିପୋର୍ଟ ଅନୁସାରେ, ଇଡି ଏହାର ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ମାମଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ଅନୁମୋଦନ ଲୋଡ଼ିବ।
ଗତ ମାସରେ ଉପରାଜ୍ୟପାଳ ଭିକେ ସକ୍ସେନା କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏଜେନ୍ସିକୁ ଅନୁମତି ଦେଇଥିଲେ। ଜାମିନରେ ଥିବା କେଜ୍ରିଵାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ପିଏମ୍ଏଲ୍ଏ ଅଧୀନରେ ଗିରଫ କରିଥିଲା ଏବଂ ମେ ୧୭ରେ ଏକ ଚାର୍ଜସିଟ୍ରେ ତାଙ୍କ ନାମ ଉଲ୍ଲେଖ କରିଥିଲା। କିଛି ମଦ ବ୍ୟବସାୟୀଙ୍କୁ ଫାଇଦା ଦେବା ପାଇଁ ନିଆଯାଇଥିବା ୧୦୦ କୋଟି ଟଙ୍କା ଲାଞ୍ଚ ମଧ୍ୟରୁ ୪୫ କୋଟି ଟଙ୍କା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହୋଇଥିବା ଏଥିରେ ଉଲ୍ଲେଖ ଥିଲା। କେଜ୍ରିୱାଲ ଅବକାରୀ ଦୁର୍ନୀତିର କିଙ୍ଗପିନ୍ ବୋଲି ଇଡି କହିଛି। କେଜ୍ରିୱାଲ, ତାଙ୍କ ତତ୍କାଳୀନ ଡେପୁଟି ମନିଷ ସିସୋଦିଆ ଓ ଆପ୍ର ପୂର୍ବତନ ମିଡିଆ ପ୍ରଭାରୀ ବିଜୟ ନାୟାର ସେମାନଙ୍କ ନିର୍ବାଚନୀ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଟଙ୍କା ମାଗିଥିଲେ। ଏଜେନ୍ସି ଅଭିଯୋଗ କରିଛି ଯେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିନୋଦ ଚୌହାନ ‘ଆପ୍’ ପାଇଁ ୨୫.୫ କୋଟି ଲାଞ୍ଚ ଟଙ୍କା ଦିଲ୍ଲୀରୁ ଗୋଆକୁ ସ୍ଥାନାନ୍ତର କରିଥିଲେ। ତେବେ କେଜ୍ରିୱାଲ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।