ଆମେରିକୀୟ ମୁନ୍ଦ୍ର ଡ଼ଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇ 86 ଟଙ୍କାରୁ ଅଧିକ ହୋଇଯିବା ଜାତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି । ଆଉ ଅଳ୍ପ ଦିନ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥା ପାଲଟିଛି । ଟଙ୍କାକୁ ସବଳ ରଖିବାର ଦାୟିତ୍ବ ରିଜର୍ଭ ବ୍ୟାଙ୍କୁ ନ୍ୟସ୍ତ କରାଯାଇଥିବା ବେଳେ ତାହା ଅସହାୟ ମନେ ହେଉଛି । କିଭଳି ଏହି ସ୍ଥିତିରେ ମୁକାବିଲା କରାଯିବା ତାହା ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ମହାମାରୀ ଓ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ଦରଦାମ୍ରେ ଯେଉଁ ବୃଦ୍ଧି ହୋଇଥିଲା ତାହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ବେଶ୍ ଝାଳବୁହା ପରିଶ୍ରମ କରିଛନ୍ତି। ତାହାର ଫଳ ମିଳିବାକୁ ଯାଉଥିବା ବେଳେ ସବୁ କିଛିକୁ ବିଗାଡ଼ିବାକୁ ବସିଛି ଦୁର୍ବଳ ଟଙ୍କା। ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୨୦୨୪ ଡିସେମ୍ବରରେ ୫.୨୨ ପ୍ରତିଶତକୁ ହ୍ରାସ ପାଇବା ପରେ ସରକାର ବେଶ୍ ଉତ୍ସାହିତ ଥିଲେ। କାରଣ ହାତ ଖୋଲି ଖର୍ଚ୍ଚ କରିବା ସହ ଦେଶ ବିକାଶର ଗତିକୁ ତ୍ବରାନ୍ବିତ କରିବା ଲାଗି ମଞ୍ଚ ପ୍ରସ୍ତୁତ ହୋଇଆସୁଥିଲା। ସବୁ କିଛି ଉପରେ ପାଣି ଢାଳି ଦେଇଛି ଟଙ୍କା।
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ସୁଦୂର ପ୍ରସାରୀ ପ୍ରଭାବ ରହିଛି। ଏହାର ପ୍ରଭାବ ଏତେ ଯେ ଗାଁରେ ବାସ କରୁଥିବା ଗରିବ ପରିବାରର ଭାତହାଣ୍ଡି ଉପରେ ତାହା ମାଡ଼ କରିବାର କ୍ଷମତା ରଖିଛି। ଭାରତ ଏକ ଜନବହୁଳ ଦେଶ ହୋଇଥିବାରୁ ତେଲଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ଓ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ରହିଛି। ସେହି ସବୁ ଜିନିଷ ମଗାଇବା ଲାଗି ଡଲାର ଗଣିବାକୁ ପଡ଼ିଥାଏ। ଦେଶରେ ଆମଦାନିକାରୀମାନେ ଡଲାର କିଣି ବିଦେଶରୁ ଜିନିଷ ଆଣୁଛନ୍ତି ଓ ତାହା ଭାରତୀୟ ବଜାରରେ ଉପଲବ୍ଧ ହେଉଛି। ଟଙ୍କା ଦୁର୍ବଳ ହୋଇପଡ଼ିଥିବାରୁ ସେହି ସମାନ ଜିନିଷଗୁଡ଼ିକୁ ମଗାଇବା ଲାଗି ସେମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। କିଣା ଦାମ୍ ଅଧିକ ରହିଲେ ସ୍ବାଭାବିକ ଭାବେ ସେଗୁଡ଼ିକ ଅଧିକ ଦାମ୍ରେ ବିକ୍ରି ହେବ।
ଜିନିଷଗୁଡ଼ିକର ଦାମ୍ ବଢ଼ିଲେ ଲୋକମାନେ ତାହାକୁ ପୂର୍ବଭଳି ଆବଶ୍ୟକ ପରିମାଣରେ କିଣିପାରିବେ ନାହିଁ। ତାହା ସେମାନଙ୍କ କ୍ରୟ ଶକ୍ତି ଓ ଉପଯୋଗିତାକୁ ଗୁରୁତର ପ୍ରଭାବିତ କରିବ। ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇ ଦେଶର ବିକାଶ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବ। ଗୋଟିଏ ପଟେ ଟଙ୍କା ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ଅଶୋଧିତ ତୈଳ ମହଙ୍ଗା ହେବା ଅର୍ଥନୀତି ପାଇଁ ଦ୍ବୈତ ଧକ୍କା ସାବ୍ୟସ୍ତ ହେବାକୁ ଯାଉଛି। ଦୁର୍ବଳ ଟଙ୍କା କେବଳ ଜନ ସାଧାରଣକୁ ପ୍ରଭାବିତ କରିବ ନାହିଁ, ଏହା କର୍ପୋରେଟ୍ ଜଗତ ଉପରେ ମଧ୍ୟ ଶକ୍ତ ପ୍ରହାର କରିବ। ସେମାନଙ୍କ ଲାଗି ବୈଦେଶିକ ଋଣ ମହଙ୍ଗା ହୋଇଯିବ। ଫଳରେ ସେମାନେ ନିଜର ପୁଞ୍ଜିନିବେଶ ରଣନୀତିକୁ ବଦଳାଇବାକୁ ବାଧ୍ୟ ହେବେ। ଟଙ୍କା ସ୍ଥିତିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରୁ ଡଲାର ବାହାର କରି ସ୍ପଟ୍ ଓ ଫର୍ୱାର୍ଡ ବଜାରରେ ବିକ୍ରି କରୁଥିଲା। ସେଥିପାଇଁ କିଛି ମାସ ଭିତରେ ଭଣ୍ଡାରରୁ ପ୍ରାୟ ୧୦ ପ୍ରତିଶତ ମୁଦ୍ରା କମିଯିବାରୁ ରିଜର୍ଭ ବ୍ୟାଙ୍କ ଚିନ୍ତିତ ହୋଇପଡ଼ିଛି। ପୂର୍ବଭଳି ମୁଦ୍ରା ବିନିମୟ ବଜାରରେ ହସ୍ତକ୍ଷେପ କରିବାରେ ରିଜର୍ଭ ବ୍ୟାଙ୍କର କ୍ଷମତା ସଙ୍କୁଚିତ ହୋଇଛି।