ମେଟା ସିଇଓ ମାର୍କ ଜକରବର୍ଗ 2024 ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । ଏଥିପାଇଁ ଭାରତୀୟ ସାଂସଦୀୟ ଷ୍ଟାଣ୍ଠି କମିଟି ମେଟାକୁ ସମନ କରିବା ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସାଂସଦୀୟ କମିଟି ମୁଖ୍ୟ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ମେଟାଠାରୁ କ୍ଷମା ଦାବି କରିଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ଦୁବେ କହିଛନ୍ତି ମେଟା ମୁଖ୍ୟଙ୍କ ଭୁଲ ସୂଚନା ପାଇଁ ତାଙ୍କୁ କମିଟି ସମନ କରିବା ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ସଂକ୍ରାନ୍ତରେ ଭୁଲ ସୂଚନା ଦେବା ଦ୍ବାରା ଏହାର ଭାବମୂତ୍ତିରେ କ୍ଷତି ପହଞ୍ଚିଥାଏ । ତେଣୁ ଏହି ଅନୁଷ୍ଠାନକୁ ଏହାର ତ୍ରୁଟି ଏବଂ ଅପପ୍ରଚାର କରିଥିବା କାରଣ ପାଇଁ ଭାରତୀୟ ସଂସଦ ଏବଂ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ ବୋଲି ଦୁବେ ଏକ୍ସରେ ପୋଷ୍ଟ କରି କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଜକରବର୍ଗ୍ ଏକ ସାକ୍ଷାତକାରରେ କହିଥିଲେ ଯେ କୋଭିଡ୍-୧୯ ପରେ ବିଶ୍ବରେ ଭାରତ ସମେତ ଅନ୍ୟ ସବୁ ସ୍ଥାନରେ ହୋଇଥିବା ନିର୍ବାଚନରେ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ପରାଜିତ ହୋଇଛନ୍ତି। ଜୋ ରୋଗାନଙ୍କ ସହିତ ଏକ ପଡକାଷ୍ଟ୍ରେ ସେ ଦାବି କରିଥିଲେ, ୨୦୨୪ ମସିହା ବିଶ୍ବ ପାଇଁ ଏକ ନିର୍ବାଚନର ବର୍ଷ ଥିଲା। ଭାରତ ସମେତ ବହୁ ଦେଶରେ ନିର୍ବାଚନ ହୋଇଥିଲା। ମୁଖ୍ୟତଃ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନରେ ହାରିଯାଇଥିଲେ। ଉଚ୍ଚ ମୁଦ୍ରାସ୍ଫୀତି ହେଉ କିମ୍ବା କୋଭିଡ୍ ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ଅର୍ଥନୈତିକ ନୀତି ପାଇଁ ହେଉ ଅବା ସରକାର ଯେଭଳି ଭାବେ କୋଭିଡ୍ର ମୁକାବିଲା କଲେ ତାହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିଛି। ଏଥିଯୋଗୁ କ୍ଷମତାରେ ଥିବା ସରକାର ଏବଂ ମୋଟାମୋଟି ଭାବେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆସ୍ଥା ହ୍ରାସ ପାଇବାରୁ ଏହା ହୋଇଛି ବୋଲି ମେଟା ସିଇଓ କହିଥିଲେ।
ଜକରବର୍ଗଙ୍କ ଏହି ଟିପ୍ପଣୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତକାଲି ଭୁଲ୍ ବୋଲି କହିଥିଲେ। ବୈଷ୍ଣବ କହିଥିଲେ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ୨୦୨୪ରେ ହୋଇଥିବା ନିର୍ବାଚନରେ ୬୪ କୋଟିରୁ ଅଧିକ ଭୋଟର ସାମିଲ ଥିଲେ। ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରିଛନ୍ତି। ତେଣୁ ଜକରବର୍ଗଙ୍କ ମନ୍ତବ୍ୟ ତଥ୍ୟ ଦୃଷ୍ଟିରୁ ଠିକ୍ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମେଟା ସିଇଓଙ୍କ ଦ୍ବାରା ଭୁଲ୍ ସୂଚନା ପ୍ରସାର କରାଯାଇଥିବାରୁ ଏହା ନିରାଶ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ବୈଷ୍ଣବ ଏକ୍ସରେ କରିଥିବା ଏହି ପୋଷ୍ଟ୍ ଉପରେ ପ୍ରତିକ୍ରିୟା ରଖି ଆଜି ବିଜେପି ସାଂସଦ ଦୁବେ ମେଟାକୁ ସଂସଦୀୟ କମିଟି ସମନ କରିବା କଥା କହିଛନ୍ତି।