ସପ୍ତାହକୁ 90 ଘଣ୍ଟା କାମ କରିବା ଲାଗି ଏଲଆଣ୍ଡଟିର ଅଧ୍ୟକ୍ଷ ଏସ ଏନ ସୁବ୍ରମଣ୍ୟନ କହିବା ପରେ ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଉଛି । ଅଳ୍ପ କିଛି ଲୋକ ତାଙ୍କ ସମର୍ଥନରେ କାହାରିଥିବା ବେଳେ ଅନ୍ୟମାନେ ଏଭଳି ଦାୟିତ୍ବହୀନ ମନ୍ତବ ପାଇଁ କଡ଼ା ନିନ୍ଦା କରୁଛନ୍ତି । ସୁବମଣ୍ୟନ ହୁଅନ୍ତୁ କିମ୍ବା ଇନଫୋସିସର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂତ୍ତି ରାଷ୍ଟ୍ର ଗଠନ ଲାଗି ଅଧିକ ସମୟ ପରିଶ୍ରମ କରିବା ଜରୁରୀ ବୋଲି ଯୁକ୍ତି କରୁଛନ୍ତି । କିନ୍ତୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ତଥ୍ୟ ଅଲଗା କଥା କହୁଛନ୍ତି । ଯେଉଁ ଚୀନ ସହିତ ଭାରତକୁ ତୁଳନା କରାଯାଉଛି ସେହି ଚୀନବାସୀଙ୍କଠାରୁ ଭରାତୀୟମାନେ ଅଧିକ ଖଟୁଛନ୍ତି ।
ଶ୍ରମ ସଂଗଠନ ରିପୋର୍ଟ କହୁଛି ଯେ ବିକାଶଶୀଳ ଓ ଉଦୀୟମାନ ଦେଶଗୁଡ଼ିକରେ ଶ୍ରମିକମାନେ ମୁଖ୍ୟତଃ ଅଧିକ ସମୟ ଖଟୁଛନ୍ତି। ଏହା ପଛର ଏକ ବଡ଼ କାରଣ ହେଉଛି ଏହି ଦେଶଗୁଡ଼ିକରେ ଘଣ୍ଟା ପିଛା ପାରିଶ୍ରମିକ ଯଥେଷ୍ଟ କମ୍ ରହିଛି ଏବଂ କିଛି ଲୋକ ଅଧିକ ପରିଶ୍ରମ କରି ନିଜ ଆୟ ବଢ଼ାଇବାକୁ ଚାହୁଛନ୍ତି। ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ଲାଗି ଏହି ଦେଶଗୁଡ଼ିକର ଶ୍ରମିକମାନେ ଅଧିକ ପରିଶ୍ରମ କରିବାକୁ ବାଧ୍ୟ ହେଉଛନ୍ତି। ବିକାଶଶୀଳ ଦେଶଗୁଡ଼ିକ ସମ୍ପର୍କରେ ରିପୋର୍ଟରେ ଭିନ୍ନ କଥା କୁହାଯାଇଛି। ଧନୀ ଦେଶଗୁଡ଼ିକରେ ବେତନଭୋଗୀ କର୍ମଚାରୀମାନଙ୍କୁ କାମ କିମ୍ବା ପ୍ରକଳ୍ପ ଶେଷ କରିବାକୁ କୁହାଯାଉଛି। ସେଠାରେ କିଛି ଲୋକ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା କିମ୍ବା ସଂସ୍ଥା ପ୍ରତି ଅନୁଗତ୍ୟ ପ୍ରଦର୍ଶନ କରିବା ଲାଗି ଲମ୍ବା ସମୟ କାମ କରୁଛନ୍ତି।
ଶ୍ରମ ସଂଗଠନ ରିପୋର୍ଟ ଅନୁସାରେ ‘ଅତ୍ୟଧିକ ସମୟ କାମ କରୁଥିବା’ ଦେଶ ତାଲିକାରେ ଭାରତ ନାମ ରହିଛି। ଆଇଏଲ୍ଓ ଅନୁସାରେ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ ସମୟ କାମ କରିବା ହେଉଛି ‘ଲମ୍ବା ସମୟ’। ୨୦୧୯ରେ ସମଗ୍ର ବିଶ୍ବର ୩୫.୪ ପ୍ରତିଶତ ଶ୍ରମିକ ନିର୍ଧାରିତ ସମୟଠାରୁ ଅଧିକ କାମ କରୁଥିଲେ। ଯେଉଁ ଦେଶଗୁଡ଼ିକରେ କର୍ମଚାରୀମାନେ ଅଧିକ ସମୟ କାମ କରୁଛନ୍ତି, ସେଭଳି ୨୦ଟି ପ୍ରମୁଖ ଦେଶ ତାଲିକାରେ ଭାରତ ତ୍ରୟୋଦଶ (୧୩) ସ୍ଥାନରେ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ମାତ୍ରାଧିକ ସମୟ ପରିଶ୍ରମ କରୁଥିବା ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଥିବା ଦେଶ ଚୀନ୍ରେ ଲୋକମାନେ ଭାରତୀୟଙ୍କଠାରୁ କମ୍ ପରିଶ୍ରମ କରୁଛନ୍ତି। ଚୀନ୍ରେ ହାରାହାରି ସାପ୍ତାହିକ କାର୍ଯ୍ୟ ସମୟ ୪୬.୫ ଘଣ୍ଟା ରହିଛି ଯାହା ଭାରତର ୪୬.୭ ଘଣ୍ଟାଠାରୁ କମ୍। ବ୍ରୁନେଇ, କେନିଆ ଓ ସେନେଗାଲ୍ର ଲୋକମାନେ ମଧ୍ୟ ଭାରତୀୟଙ୍କଠାରୁ କମ୍ ଖଟୁଛନ୍ତି। ଶ୍ରମିକମାନେ ସପ୍ତାହକୁ ଅଧିକ ପରିଶ୍ରମ କରୁଥିବା ଦେଶ ତାଲିକାର ଶୀର୍ଷରେ ଭୁଟାନ ରହିଛି। ସେଠାରେ ଲୋକମାନେ ସପ୍ତାହକୁ ୫୪.୪ ଘଣ୍ଟା ପରିଶ୍ରମ କରୁଛନ୍ତି। ଏହା ପଛକୁ ରହିଛନ୍ତି ୟୁଏଇ (୫୦.୯ ଘଣ୍ଟା), ଲିସୋଥୋ (୫୦.୪ ଘଣ୍ଟା), କଙ୍ଗୋ (୪୮.୬ ଘଣ୍ଟା), କତର (୪୮ଘଣ୍ଟା), ଲାଇବେରିଆ (୪୭.୭ ଘଣ୍ଟା), ଲେବାନନ (୪୭.୬ ଘଣ୍ଟା), ବାଂଲାଦେଶ (୪୬.୯ ଘଣ୍ଟା), ପାକିସ୍ତାନ (୪୬.୯ ଘଣ୍ଟା)।