କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍.ଏଚ୍.ଏ.) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏକ ବୁଝାମଣା ପତ୍ର (ଏମ୍.ଓ.ୟୁ.) ସ୍ୱାକ୍ଷର କରିବା ପରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) ଲାଗୁ କରିବାରେ ଓଡ଼ିଶା ୩୪ତମ ରାଜ୍ୟ ହୋଇପାରିଛି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନଏଚଏ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲଏସ ଚାଙ୍ଗସାନ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତ୍ଥୀ ଏସ ଏମଓୟୁରେ ସ୍ୱାକ୍ଷର କରିଥିଲେ।
ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପଲବ୍ଧ ହେବା ଏନେଇ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନ୍ୟାସନାଲ ହେଲଥ ଅଥରିଟି ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ସ୍ୱାକ୍ଷର ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ସହିତ ମିଶି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) କାର୍ଯ୍ୟକାରୀ କରାଯିବ। ଏହା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବ। କେନ୍ଦ୍ର ସରକାରଙ୍କ ସହାୟତାରେ ୬୭.୮ ଲକ୍ଷ ପରିବାର ସହିତ ମୋଟ ପାଖାପାଖି ୧ କୋଟି ୩ ଲକ୍ଷ ପରିବାର ଏହି ସମ୍ମିଳିତ ଯୋଜନା ଅଧୀନରେ ଆସିବେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜେ.ପି. ନଡ୍ଡା କହିଥିଲେ, ‘‘ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ଏବି ପିଏମ-ଜେଏୱାଇ କେବଳ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଭରେଜ୍ ଯୋଜନା ନୁହେଁ ବରଂ ଏହି ଯୋଜନା ଆରମ୍ଭ ପରଠାରୁ କାର୍ଯ୍ୟକାରୀ ହେଉଥିବା ଦ୍ରୁତତମ ମଧ୍ୟ। ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ହୋଇଛି ଏବଂ ଭାରତର ପାଖାପାଖି ୪୫ ପ୍ରତିଶତ ଜନସଂଖ୍ୟାକୁ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୦୨୪ରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡର ଶୁଭାରମ୍ଭ କରିଥିଲେ ଯାହା ୭୦ବର୍ଷ ଏବଂ ତତୋଧିକ ବୟସର ପ୍ରାୟ ୬ କୋଟି ଲୋକଙ୍କୁ ଉପକୃତ କରିବ।
ଏବି ପିଏମ-ଜେଏୱାଇର ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଥିଲେ, ଏହି ଯୋଜନା ଆରମ୍ଭ ହେବା ପରଠାରୁ ୮ କୋଟି ୧୯ ଲକ୍ଷ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିରେ ସମାଜର ଅବହେଳିତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧ ଲକ୍ଷ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେ ଆହୁରି କହିଥିଲେ, ରୋଗ ବୃଦ୍ଧି କାରଣରୁ ନୁହେଁ, ବରଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ବୃଦ୍ଧି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଏହି ସଂଖ୍ୟା ବଢ଼ିଛି ।
ଏହି ଯୋଜନା ଦ୍ବାରା 1 କୋଟି 3 ଳକ୍ଷ ପରିବାର ଉପକୃତ ହେବେ । 23 ଲକ୍ଷରୁ ଅଧିକ 70 ବର୍ଷରୁ ଉଦ୍ଦ୍ବ ବରିଷ୍ଠ ନାଗରିକ ଚିକିସା ସୁବିଧା ପାଇବେ ।
ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ହିତାଧିକାରୀ ଦେଶର ୨୯ ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ।ପ୍ରତ୍ୟେକ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ।
ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ନେଇ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି.ଏହା ପ୍ରକୃତରେ ଏକ ଦୁଃଖଦାୟକ ଥିଲା ଯେ, ଓଡ଼ିଶାର ପୂର୍ବତନ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ନଥିଲେ।
ଏହି ଯୋଜନା ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ସର୍ବୋଚ୍ଚ-ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବ। ଏହା ବିଶେଷ ଭାବରେ ନାରୀଶକ୍ତି ଏବଂ ଓଡିଶାର ବୃଦ୍ଧବୃଦ୍ଧାଙ୍କୁ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।