ମହାରାଷ୍ଟ୍ର ରାଜନୀତିକୁ ନେଇ ଜୋରଦାର ଚର୍ଚ୍ଚା । ଗତ କିଛିଦିନ ହେବ ଚର୍ଚ୍ଚା ହେଉଥିବା କି ପୁଣି ଥରେ ବିଜେପି କ୍ୟାମ୍ପକୁ ଫେରିବେ ଉଦ୍ଧବ । ଖାଲି ଏତିକି ନୁହେିଁ ବରଂ 2 ପାଓ୍ବାର ଗୋଷ୍ଠୀ ମଧ୍ୟ ମିଶିବେ । ଆଗାମୀ ବିଏମସି ନିର୍ବାଚନ ଉଭୟ ମିଶିକି ଲଢିବେ । ଏହାରି ଭିତରେ ଫଡ଼ନାଭିସଙ୍କୁ ଜୋରଦାର ପ୍ରଶଂସା କରିଥିଲେ ଉଦ୍ଧବ । ହେଲେ ଅମିତ ଶାହ ସିଧା କହିଛନ୍ତି ରାଜନୈତିକ ଚର୍ଚ୍ଚାରେ କିଛି ହେବାର ନାହିଁ କି କିଛି ନୂଆ ସମୀକରଣ ହେବାରେ ନାହିଁ ।
ସଜସଜ ଯାଇଛି ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ଆରୋପ-ପ୍ରତ୍ୟାରୋପର ରାଜନୀତି ଚାଲିଥିଲା । କିନ୍ତୁ ବାଜି ମାରିଥିଲା ଏନଡିଏ । ପରେ ପରେ ସିଏମ ହେବ କିଏ ସେନେଇ ବି ଚର୍ଚ୍ଚା ବଢିଥିଲା । ଯେହେତୁ ବିଜେପିର ଅଧିକ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ତେଣୁ ସିଏମ ପଦ ବିଜେପି ଖାତାକୁ ଯିବାର ଥୟ ଥିଲା । କିନ୍ତୁ ସିନ୍ଦେ ଗୋଷ୍ଠୀ ସିଏମ ପଦ ସିନ୍ଦେଙ୍କୁ ଦିଆଯାଉ ବୋଲି ଦାବି କରିଥିଲେ । ହେଲେ ପଦ କିନ୍ତୁ ଯାଇଥିଲା ଫଡନାଭିସଙ୍କ ପାଖକୁ । ଅବଶ୍ୟ ଏନେଇ ନାରାଜ ଥିଲେ ସିନ୍ଦେ ଗୋଷ୍ଠୀ କିନ୍ତୁ ଉପାୟ କିଛି ନଥିଲା । ସେପଟେ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାୱାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କୁହାଯାଉଥିଲା କି ନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଗୋଟାଏ ସମୀକରଣ କରିବେ । ହେଲେ ଶାହ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଏବଂ ରୋକଠୋକ କହିଛନ୍ତି, ସମୀକରଣ କିଛି ହେବାର ନାହିଁ । ବିଜେପିକୁ ଲୋକେ ଭରସା କରିଛନ୍ତି, ବିରୋଧୀଙ୍କୁ ସମାଧି ଦେଇଛନ୍ତି ।
ମହାରାଷ୍ଟ୍ର ଗସ୍ତ କରିଥିବା ବେଳେ ଶାହଙ୍କ ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ସେ କହିଛନ୍ତି, ପ୍ରତାରଣା ରାଜନୀତି କଲେ କେହି କେବେ ସହିବେ ନାହିଁ । ଯାହାର ଫଳ ବିରୋଧୀମାନେ ଭୋଗିଛନ୍ତି । ବାଲାସାହେବଙ୍କ ଆଦର୍ଶକୁ ଭୁଲି ଯାଇଛନ୍ତି ଉଦ୍ଧବ । ସେଇଥି ଲାଗି ତ ଜନତା ଏମିତି ସବକ୍ ଶିଖାଇଲେ ଯେ ସମାଧିର ରାସ୍ତା ଦେଖାଇଦେଲେ ।
ବିଧାନସଭା ନିର୍ବାଚନ ପରେ ଏବେ ବିଏମସି ନିର୍ବାଚନ ପାଇଁ ତୟାରୀ କଲାଣି ଭାରତୀୟ ଜନତା ପାର୍ଟି। କେମିତି ନିର୍ବାଚନରେ ବିଜେପିର ବାଜିମାତ ହେବ ସେନେଇ ରଣନୀତି ପ୍ରସ୍ତୁତ ବି କଲେଣି । ସେପଟେ, ବିଧାନସଭା ଓ ଲୋକସଭା ନିର୍ବାଚନ କଥା ମନେ ପକାଇଛନ୍ତି ଶାହ । କହିଛନ୍ତି, ଫଳାଫଳ ବାହାରିବା ପୂର୍ବରୁ ଶରଦ ପାୱାର କହିଥିଲେ, କିଏ କେତେ ସିଟ୍ରେ ଜିତିବ, ଆଗାମୀ ଦିନରେ କଣ ହେବ । କିନ୍ତୁ ନିଜର ଆକଳନ କରିପାରିନଥିଲେ ପାୱାର ଜୀ ବୋଲି ତେରଛା ବାଣ ମାରିଛନ୍ତି ଶାହ । ଏହାସହ ଯେଉଁମାନେ ରାଜନୀତିରେ ଧମକ ଦିଅନ୍ତି ସେମାନେ କେବେ କୌଣସି ଜିନିଷ ହାସଲ କରିପାରନ୍ତି ନାହିଁ ବୋଲି ଶାହ କହିଛନ୍ତି । ମୋଟ୍ ଉପରେ ଶାହଙ୍କ ଏମିତି ବୟାନରୁ ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ଧୋକା ଦେଇଛନ୍ତି ସେମାନଙ୍କୁ ଦଳ ଆଉ ଗ୍ରହଣ କରିବା ପରିସ୍ଥିତିରେ ନାହିଁ । ତେଣୁ ପରୋକ୍ଷରେ ନୀତିଶ କୁମାରଙ୍କୁ ବି ଶାହ ଚେତାବନୀ ଦେଇଥିବା ଚର୍ଚ୍ଚା ।