ବିସିସିଆଇ ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇରେ ଆୟୋଜିତ ହୋଇଛି । ଏହି ବୈଠକରେ ବିସିସିଆଇର ନୂଆ ସଚିବ ଓ କୋଷାଧ୍ୟକ୍ଷ ନିର୍ବାଚନ ହୋଇଛି । ଦେବଜିତ ସାଇକିଆଙ୍କୁ ବିସିସିଆଇ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିବା ବେଳେ ପ୍ରଭତେଜ ଭାଟିଆଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଡ଼ିସେମ୍ବର 1 ତାରିଖରୁ ଜୟ ଶାହା ଆଇସିସିର ଚେୟାର ମ୍ୟାନ ପଦ ସମ୍ଭାମଳିବା ପରେ ସାଇକିଆ ବିସିସିଆଇର ଅନ୍ତରୀଣ ଦାୟିତ୍ବ ସମ୍ଭାଳୁଥିଲେ । ଏବେ ତାଙ୍କୁ ଫୁଲ ଟାଇମ ଦାୟିତ୍ବ ମିଳିଛି ।
55 ବର୍ଷିୟ ଦେବଜିତ ସାଇକିଆ ଆସାମର ବାସିନ୍ଦା । ଦେବଜିତ ନିଜେ ଜଣେ କ୍ରିକେଟର । ହେଲା ଆସାମ ତରଫରୁ ବେଶି ସୁଯୋଗ ମିଳିପାରିନାହିଁ । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ସାଇକିଆ ଆସାମ ପାଇଁ ୪ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ସେ ୮.୮୩ ଆଭରେଜରେ ୫୩ ରନ କରିଥିଲେ । ଏହି ସମୟରେ ତାଙ୍କ ବେଷ୍ଟ ସ୍କୋର ୫୪ ରହିଥିଲା । ସେ ୮ କ୍ୟାଚ ଧରିଥିବା ବେଳେ ଗୋଟିଏ ଷ୍ଟମ୍ପ ଆଉଟ କରିଛନ୍ତି ।
ଦେବଜିତ ପେଶାରେ ଜଣେ ଓକିଲ ଆଉ ତାଙ୍କର ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି । ସାଇକିଆ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ଗୋଟେ କ୍ରିକେଟ କ୍ଲବର ମହାସଚିବ ବି ରହିସାରିଛନ୍ତି । ଏହାପରେ ସେ ଆସାମ କ୍ରିକେଟ ଆସୋସିଏସନ ସହ କାମ କରିଥିଲେ । ୨୦୧୬ରେ ତାଙ୍କ ଆସାମ କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ କରାଯାଇଥିଲା । ପରେ ୨୦୧୯ରେ ତାଙ୍କୁ ଏସିଆ କ୍ରିକେଟ କାଉନସିଲର ସଚିବ କରାଯାଇଥିଲା । ଏହାପରେ ୨୦୨୨ରେ ତାଙ୍କର ବିସିସିଆଇରେ ଏଣ୍ଟ୍ରି ହୋଇଥିଲା ଆଉ ତାଙ୍କୁ ସଂଯୁକ୍ତ ସଚିବ ନିୟୁକ୍ତି କରାଯାଇଥିଲା ।