ଆମେରିକାର ଦକ୍ଷିଣାଞ୍ଚଳରେ ପ୍ରବଳ ଶୀତଝଡ଼ ଯୋଗୁଁ 3,000ରୁ ଅଧିକ ବିମାନ ବାତିଲ ହୋଇଥିଲା ଏବଂ ହଜାର ହଜାର ବିମାନ ବିଳମ୍ବିତ ହୋଇଥିଲା । ବିଶେଷ କରି ଡ଼ୋଲ୍ଟା ଏୟାରଲାଇନ୍ସ ଆଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ 5 ଟି ରନଓ୍ବେକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ବାଧ ହୋଇଥିଲା । ଆଟଲାଣ୍ଟାରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଡେଲ୍ଟା ବିମାନଟି ମଧ୍ୟ ଏକ ଗୁରୁତର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା। ଇଞ୍ଜିନରେ ତ୍ରୁଟି ଯୋଗୁଁ ବୋଇଂ ୭୫୭-୩୦୦ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଥିଲା। ୨୦୦ରୁ ଅଧିକ ଯାତ୍ରୀ ଓ କର୍ମଚାରୀ ଜରୁରିକାଳୀନ ସ୍ଲାଇଡ୍ ବ୍ୟବହାର କରି ବିମାନରୁ ବାହାରିଥିଲେ।
ଟେକ୍ସାସର ଡଲାସ୍ ଫୋର୍ଟ ୱର୍ଥ ଓ ଉତ୍ତର କରୋଲିନାର ଚାର୍ଲୋଟ ଡଗ୍ଲାସ୍ ସମେତ ଅନ୍ୟ ପ୍ରମୁଖ ବିମାନବନ୍ଦରରେ ମଧ୍ୟ ବ୍ୟାପକ ବାଧା ସୃଷ୍ଟି ହୋଇଛି। କେବଳ ଏହି ଦୁଇଟି ବିମାନ ବନ୍ଦରରେ ୧୨୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଶୁକ୍ରବାର ଦେଶବ୍ୟାପୀ ମୋଟ ୩ ହଜାରରୁ ଅଧିକ ବିମାନ ବାତିଲ ହୋଇଛି। ସପ୍ତାହ ପ୍ରାରମ୍ଭରେ ଶୀତ ଋତୁରେ ହୋଇଥିବା ଏହି ଝଡ଼ରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଶର କେନ୍ଦ୍ରୀୟ ଓ ପୂର୍ବ ଭାଗରେ ବ୍ୟାପକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। କେତେକ ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରି ଫାରେନହିଟ୍ (-୧୮ ଡିଗ୍ରି ସେଲସିୟସ) ତଳକୁ ଖସି ଆସିଥିବା ବେଳେ ହଜାର ହଜାର ଲୋକ ବିଜୁଳିବିହୀନ ହୋଇଛନ୍ତି।