ୟୁରୋପୀୟ ସଂଘର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ କୋପରନିକାସ ଜଳବାୟୁ ପରିବର୍ତନ ସେବା ଆନ୍ତର୍ଜାତିକ ସ୍ତରରେ ସଂଗୃହୀତ ସମସ୍ତ ବିଶ୍ବ ତାପମାତ୍ରା ଡ଼ାଟାସେଟକୁ ଉଦାହାରଣ ଦେଇ କହିଛି ଯେ 1850 ମସିହାରେ ରେକର୍ଡ଼ ଆରମ୍ଭ ହେବା ପରଠାରୁ 2024 ବର୍ଷ ବିଶ୍ବରେ ସୁବଠାରୁ ଉତ୍ତପ୍ତ ଥିଲା ଏବଂ ପ୍ରଥମ ଥର ପାଇଁ ବିଶ୍ବର ହାରାହାରି ତାପମାତ୍ରା ପ୍ରାକ – ଶିଳ୍ପ ସ୍ତରଠାରୁ 1.5 ଡ଼ିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା । 1901 ପରଠାରୁ 2024 ବର୍ଷ ଭାରତ ପାଇଁ ମଧ୍ୟ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହା 2024 ରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଜନ୍କ ଦେଇଛି ବୋଲି ଏଥିରେ କୁହାଯାଇଛି ।
ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଅତ୍ୟଧିକ ବାୟୁ ଓ ସମୁଦ୍ରପୃଷ୍ଠ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥିଲା। ଏଲ୍ନିନୋ ସାଉଥ୍ ଅସିଲେସନ୍ (ଇଏନ୍ଏସ୍ଓ) ଭଳି ଅନ୍ୟାନ୍ୟ କାରଣ ମଧ୍ୟ ଅସ୍ୱାଭାବିକ ତାପମାତ୍ରାରେ ଯୋଗଦାନ ଦେଇଥିଲା। ଇଏନ୍ଏସଓ ହେଉଛି ଏକ ପୁନଃପୁନଃ ଘଟିତ ଜଳବାୟୁ ଢାଞ୍ଚା ଯାହା କେନ୍ଦ୍ରୀୟ ଓ ପୂର୍ବ-ବିଷୁବ ପ୍ରଶାନ୍ତ ମହାସାଗର ଜଳର ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ। ଏକ ବିବୃତିରେ ସି୩ଏସ୍ କହିଛି ଯେ ୟୁରୋପୀୟ ମଧ୍ୟମ ପରିସର ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଇସିଏମ୍ଡବ୍ଲ୍ୟୁଏଫ୍), ନାସା, ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟ୍ମସ୍ଫିୟରିକ୍ ଆଡ୍ମିନିଷ୍ଟ୍ରେସନ୍ (ଏନ୍ଓଏଏ), ବ୍ରିଟେନ୍ ପାଣିପାଗ କାର୍ଯ୍ୟାଳୟ, ବର୍କଲେ ଆର୍ଥ ଓ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପରି ବିଶ୍ୱ ଜଳବାୟୁ ଉପରେ ନଜର ରଖୁଥିବା ସଂଗଠନଗୁଡ଼ିକ ମିଳିତଭାବେ ତଥ୍ୟ ସଂଗ୍ରହ କରି ଏହି ବିଶ୍ଳେଷଣ କରିଛନ୍ତି। ସି୩ଏସ୍ ନିର୍ଦ୍ଦେଶକ କାର୍ଲୋ ବୋଣ୍ଟେମ୍ପୋ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ସଂଗୃହୀତ ସମସ୍ତ ବିଶ୍ୱ ତାପମାତ୍ରା ଡାଟାସେଟ୍ ଦର୍ଶାଉଛି ଯେ ୧୮୫୦ରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଜଳବାୟୁ ଆହ୍ୱାନର ଆମେ କିପରି ମୁକାବିଲା କରୁଛୁ ତାହା ଉପରେ ଏହାର ଭାଗ୍ୟ ନିର୍ଭର କରୁଛି। ଦ୍ରୁତ ଓ ନିର୍ଣ୍ଣାୟକ ପଦକ୍ଷେପ ଭବିଷ୍ୟତ ଜଳବାୟୁର ଗତିପଥକୁ ପରିବର୍ତ୍ତନ କରିପାରିବ ବୋଲି ବୋଣ୍ଟେମ୍ପୋ କହିଛନ୍ତି।
ଇସିଏମ୍ଡବ୍ଲ୍ୟୁଏଫ୍ ଷ୍ଟ୍ରାଟେଜିକ୍ ଲିଡ୍ (ଜଳବାୟୁ)ର ସାମନ୍ଥା ବର୍ଗେସ୍ କହିଛନ୍ତି ଯେ ଗତ ଦଶନ୍ଧିରେ ପ୍ରତିବର୍ଷ ରେକର୍ଡରେ ଥିବା ୧୦ଟି ସବୁଠାରୁ ଉଷ୍ମ ତାପମାତ୍ରା ମଧ୍ୟରୁ ଅନ୍ୟତମ। ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ୧.୫ଡିଗ୍ରି ସେଲସିୟସ ସ୍ତର ଉପରକୁ ନ ଯିବା ଦିଗରେ ଆମେ ଏବେ ଅଣ୍ଟା ଭିଡ଼ିଛୁ। କିନ୍ତୁ ଗତ ଦୁଇ ବର୍ଷର ହାରାହାରି ଏହି ସ୍ତରଠାରୁ ଅଧିକ ରହିଛି। ୨୦୨୪ରେ ବିଶ୍ୱର ଉଚ୍ଚ ତାପମାତ୍ରା ବିଶ୍ୱ ବାୟୁମଣ୍ଡଳୀୟ ଜଳୀୟ ବାଷ୍ପ ସ୍ତର ଯୋଗୁଁ ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ବୃଷ୍ଟିପାତର କାରଣ ସାଜିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି ବୋଲି ବର୍ଗେସ୍ କହିଛନ୍ତି।
ଇଆର୍ଏ୫ ଡାଟାସେଟ୍ କହିଛି ଯେ ବିଶ୍ୱର ହାରାହାରି ତାପମାତ୍ରା ୧୯୯୧-୨୦୨୦ ହାରାହାରି ତାପମାତ୍ରାଠାରୁ ୦.୭୨ ଡିଗ୍ରି ସେଲସିୟସ ଏବଂ ୨୦୨୩ଠାରୁ ୦.୧୨ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ୧୮୫୦-୧୯୦୦ ତାପମାତ୍ରାର ଆକଳନଠାରୁ ୧.୬୦ ଡିଗ୍ରି ସେଲସିୟସ ଅଧିକ। ୨୦୨୪ ଜୁଲାଇ ୨୨ତାରିଖରେ ବିଶ୍ୱର ଦୈନିକ ହାରାହାରି ତାପମାତ୍ରା ୧୭.୧୬ ଡିଗ୍ରି ସେଲସିୟସରେ ପହଞ୍ଚିଥିଲା। ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ ସମସ୍ତ ମହାଦେଶୀୟ ଅଞ୍ଚଳ ତଥା ସମୁଦ୍ରର ଅଧିକାଂଶ ଅଂଶ ବିଶେଷ କରି ଉତ୍ତର ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପାଇଁ ଗତ ବର୍ଷ ସବୁଠାରୁ ଉଷ୍ମ ବର୍ଷ ଥିଲା। ଅତ୍ୟଧିକ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଗ୍ରୀଷ୍ମ ଚାପ (ହିଟ୍ ଷ୍ଟ୍ରେସ୍)କୁ ବୃଦ୍ଧି କରିବାରେ ସହାୟକ ହୋଇଥିଲା। କାର୍ବନ ଡାଇଅକ୍ସାଇଡ୍ ଓ ମିଥେନ୍ର ବାୟୁମଣ୍ଡଳୀୟ ସାନ୍ଦ୍ରତା ବୃଦ୍ଧି ପାଇବାରେ ଲାଗିଛି ଏବଂ ୨୦୨୪ରେ ରେକର୍ଡ ବାର୍ଷିକ ସ୍ତରରେ ପହଞ୍ଚିଛି। ୧୯୦୧ ପରଠାରୁ ୨୦୨୪ ବର୍ଷ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ପ୍ରବଳ ଗରମ ଯୋଗୁଁ ଉତ୍ତର ପଶ୍ଚିମ ଓ ପୂର୍ବ ଭାରତରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ମୌସୁମୀ ସମୟରେ ବନ୍ୟା, ଭୂସ୍ଖଳନ ଓ ଲକ୍ଷଦ୍ୱୀପର ରିଫ୍ (ପ୍ରବାଳ ପ୍ରାଚୀର)ରେ ରେକର୍ଡ ବ୍ଲିଚିଂ ହୋଇଥିବା ସୂଚନା ମିଳିଛି। ଇମ୍ପେରିଆଲ କଲେଜ ଲଣ୍ଡନର ସେଣ୍ଟର ଫର ଏନଭାରମେଣ୍ଟାଲ ପଲିସିର ବରିଷ୍ଠ ଅଧ୍ୟାପକ ଫ୍ରିଡେରିକ୍ ଓଟୋ କହିଛନ୍ତି ଯେ ଦେଶଗୁଡ଼ିକ ଏବେ ବି ବିପୁଳ ପରିମାଣର ତୈଳ, ଗ୍ୟାସ୍ ଓ କୋଇଲା ଜାଳୁଛନ୍ତି। ତାପମାତ୍ରା ବୃଦ୍ଧି ଓ ପରିବର୍ତ୍ତିତ ପାଣିପାଗ ଯୋଗୁ ଭାଲେନ୍ସିଆ ବନ୍ୟା, ଆମେରିକା ବାତ୍ୟା, ଫିଲିପାଇନ୍ସ ବାତ୍ୟା ଓ ଆମାଜନ ମରୁଡ଼ି ଭଳି ବିପର୍ଯ୍ୟୟ ଘଟିଛି। ଏହାକୁ ରୋକିବା ପାଇଁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ରହିବା ଓ ଜଙ୍ଗଲ କ୍ଷୟକୁ ରୋକିବା ଆବଶ୍ୟକ ବୋଲି ଓଟୋ କହିଛନ୍ତି।