ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ହୋଇ ତାମିଲନାଡ଼ୁ ସାଲେମ ଜିଲ୍ଲାର ଜଣେ ମହିଳାଙ୍କ ସମେତ 6 ଜଣଙ୍କର ମୃତ୍ୟୁ ହୋଇଛି ଓ ଶତାଧିକ ଆହତ ହୋଇଛନ୍ତି । ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ବାର ଦର୍ଶନ ଉପଲକ୍ଷେ ଶ୍ରୀନିବାସ , ବୈରାଗୀପେଟ୍ଟାଡ଼ା ରାମାନାଇଡ଼ୁ ସ୍କୁଲ ଓ ସତ୍ୟନାରାୟଣପୁରମ ନିକଟରେ ଆଗୁଆ ଟିକେଟ ବିକ୍ରି କରାଯିବାକୁ ଘୋଷଣା କରାଯାଇଥିଲା । ବୈରାଗୀ ପେଟ୍ଟାଡ଼ା ପାର୍କ ନିକଟ ବୈକୁଣ୍ଠ ଦ୍ବାର ଦର୍ଶନ ଟିକେଟ୍ କେନ୍ଦ୍ରରେ ଆଜି ପୂର୍ବାହ୍ଣରୁ ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍ ଲାଗିଥିଲା। ରାତିରେ ଭିଡ଼ ଅସମ୍ଭବ ଭାବେ ବୃଦ୍ଧି ପାଇବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ ଅଧ୍ୟକ୍ଷ ବିଆର୍ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଦଳାଚକଟା ସମ୍ପର୍କରେ ସେ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଫୋନ୍ରେ କଥାବାର୍ତ୍ତା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।