ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ବିଜେପି ଏବଂ ଆପ ମଧ୍ୟରେ ପୋଷ୍ଟର ଲଢେଇ ଜୋରଦାର ହୋଇଛି । ଦିଲ୍ଲୀରେ ଶାସକ ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ପୋଷ୍ଟର ଜାରି କରି କଟାକ୍ଷ କରିଛି । ଶାହଙ୍କୁ ଆପ ଚୁନାବୀ ମୁସଲମାନ କହିଛି । ପୋଷ୍ଟରରେ ଶାହ ଏକ କଶ୍ମୀରୀ ଉଲେନ୍ କ୍ୟାପ୍ ପିନ୍ଧିଛନ୍ତି ଏବଂ ପୃଷ୍ଠଭାଗରେ ରହିଛି ଜାମା ମସଜିଦ୍। ପୋଷ୍ଟରରେ ଶାହଙ୍କୁ ଫିଲ୍ମର ନିର୍ଦ୍ଦେଶକ ଭାବେ ଦର୍ଶାଯାଇଛି ଏବଂ ଫିଲ୍ମରେ ବିଭିନ୍ନ ଚରିତ୍ରରେ ରହିଛନ୍ତି ରୋହିଙ୍ଗ୍ୟା, ବାଂଲାଦେଶୀ, ମୌଲବୀ, ମୌଲାନା, ଇମାମ୍ ଓ ୱକଫ୍ ବୋର୍ଡ। ଫିଲ୍ମର ପ୍ରଡ୍ୟୁସର ‘ଲୋଟସ୍ ପ୍ରଡକ୍ସନ୍ସ’। ବିଜେପିର ଦଳୀୟ ଚିହ୍ନକୁ ଏହା ଇଙ୍ଗିତ କରୁଛି। ଉଭୟ ଆପ୍ ଏବଂ ବିଜେପି ରୋହିଙ୍ଗ୍ୟା ମୁସଲମାନ ଏବଂ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ନେଇ ପରସ୍ପର ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଆପ୍ ଆଜି ଶାହଙ୍କୁ କଟାକ୍ଷ କରି ଏହି ପୋଷ୍ଟର ଜାରି କରିଛି। ବିଜେପି ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଖୋଲାଖୋଲି ଅପମାନିତ କରି ସେମାନଙ୍କୁ ଦିଲ୍ଲୀରେ ଥଇଥାନ କରୁଛି ବୋଲି ଆପ୍ ଅଭିଯୋଗ କରୁଛି। ବିଜେପି ଅନ୍ୟପକ୍ଷେ ଅଭିଯୋଗ କରିଛି ଯେ ସରକାରୀ କାଗଜପତ୍ର ଦେଇ ଆପ୍ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀଙ୍କୁ ଥଇଥାନ କରିବାପାଇଁ ସହଯୋଗ କରୁଛି ଏବଂ ପରେ ଆପ୍ ସେମାନଙ୍କୁ ଭୋଟ୍ ବ୍ୟାଙ୍କ୍ ପାଇଁ ବ୍ୟବହାର କରୁଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମନ୍ଦିର ପୁରୋହିତ ଏବଂ ଗୁରୁଦ୍ବାର ଗ୍ରନ୍ଥିଙ୍କୁ ମାସିକ ୧୮ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିବାପରେ ବିଜେପି କେଜ୍ରିୱାଲଙ୍କୁ ‘ଚୁନାବୀ ହିନ୍ଦୁ’ କହି କଟାକ୍ଷ କରିଥିଲା ଏବଂ ଏକ ପୋଷ୍ଟର ଜାରି କରିଥିଲା। ଏହାର କିଛି ଦିନ ପରେ ଆପ୍ ଆଜି ଶାହଙ୍କୁ କଟାକ୍ଷ କରି ‘ଚୁନାବୀ ମୁସଲମାନ୍’ ପୋଷ୍ଟର ଜାରି କରିଛି।