ସଙ୍କଟରେ ଭାରତୀୟ ଅର୍ଥନୀତି । ଦେଶର ଆର୍ଥିକ ଅଭିବୃଦ୍ଧି ତଳମୁହାଁ। ବିଗତ 4 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୋଟ ଘରୋଇ ଡ଼ିଜିପି 7 ପ୍ରତିଶତ ତଳକୁ ଖସିବ ବୋଲି ଅର୍ଥନୀତ ବିଶାରଦମାନେ ଆକଳନ କରିଥିବା ବେଳେ 2024-25 ଆର୍ଥିକ ବର୍ଷରେ ଦେଶର ଡ଼ିଜିପି । ଅଭିବୃଦ୍ଧି 6.4 ପ୍ରତିଶତ ରହିପାରେ ବୋଲି ଖୋଦ ରାଷ୍ଟ୍ରୀୟ ପରିସଂଖ୍ୟାନ ସଂସ୍ଥାନ ଆଶଙ୍କା ପ୍ରକାଶ କରିଛି । ଅପରପକ୍ଷେ ଅର୍ଥନୀତି ଜ୍ଞମାନେ ଡ଼ିଜିପି ଅଭିବୃଦ୍ଧି ହାରରେ ଏହି ହ୍ରାସ ପାଇଁ ମୁଖତଃ ଦେଶର ମୁଦ୍ରାସ୍ଫତି ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପୁଞ୍ଜି ବ୍ୟୟରେ ହ୍ରାସକୁ ଦାୟୀ କରିଛନ୍ତି । ସମ୍ପ୍ରତି ମୁଦ୍ରାସ୍ଫୀତି, ମାନ୍ଦାବସ୍ଥା, ଟଙ୍କା ମୂଲ୍ୟରେ ହ୍ରାସ ସହିତ ତଳମୁହାଁ ବୈଦେଶିକ ମୁଦ୍ରା ଭଣ୍ଡାର, ବିନିର୍ମାଣରେ ନକାରାତ୍ମକ ଅଭିବୃଦ୍ଧି ସହ ଜିଏସ୍ଟି ରାଜସ୍ବରେ ହ୍ରାସ ଭଳି ସ୍ଥିତିରେ ଭାରତୀୟ ଅର୍ଥନୀତି ସନ୍ଧିକ୍ଷଣ ମଧ୍ୟରେ ଗତି କରୁଛି। ଯାହା କେନ୍ଦ୍ର ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଏଠାରେ ସୂଚନାଯୋଗ୍ୟ, ଦ୍ବିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଆସିଥିଲା, ଯାହାକି ୨୧ ମାସରେ ସର୍ବନିମ୍ନ ଥିଲା। ଜାତୀୟ ପରିସଂଖ୍ୟାନ ସଂସ୍ଥାନର ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ଗତ ୪ ବର୍ଷରେ ସବୁଠୁ କମ୍ ରହିବ। ଗତ ଆର୍ଥିକ ବର୍ଷରେ ଜିଡିପି ୮.୨ ପ୍ରତିଶତ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ରହିବା ନେଇ ଆକଳନ ଦେଶର ଅର୍ଥନୀତି ପାଇଁ ଆଶଙ୍କା ସୃଷ୍ଟି କରିଛି। କରୋନା ମହାମାରୀ ପରେ ଜିଡିପିରେ ଏତେ ପରିମାଣର ହ୍ରାସ ଆଉ ଏକ ମାନ୍ଦାବସ୍ଥାର ସୂଚକ ବୋଲି କୁହାଯାଉଛି । ଆରବିଆଇ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ନକାରାତ୍ମକ ବିଯୁକ୍ତ (-୫.୮) ପ୍ରତିଶତ ରହିଥିଲା। ଏହାପରେ ଦେଶର ଅର୍ଥନୀତିରେ ପୁନରୁଦ୍ଧାର ଘଟି ୨୦୨୨-୨୩ରେ ୮.୨ରେ ପହଞ୍ଚିଥିଲା ।