ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ଦିନ 10 ଟାରେ ସମ୍ମେଳନ ଆରମ୍ଭ ହେବ । ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହେବ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖୀ ମାଣ୍ଡବ୍ୟ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ.ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ବୈଦେଶିକ ବ୍ୟାପାର ରାଷ୍ଟ୍ରପତି ପବିତ୍ର ମାର୍ଗେରିଟା , କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଳ ଖଡ଼ସେ ଆମେରିକା ନ୍ୟୁଜଓ୍ବିକର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେବେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ଯୁବ ପ୍ରବାସୀ ଭାରତୀୟ ଦିବସ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ଦରିଆପାରି: ବୈଶ୍ବିକ ପୃଥିବୀରେ ପ୍ରବାସୀ-ଯୁବ ଭାରତୀୟଙ୍କ ନେତୃତ୍ବ’ ଶୀର୍ଷକରେ ଆଲୋଚନା ହେବ । ଫ୍ଲପକାର୍ଡ ସହ ପ୍ରତିଷ୍ଠାତା ବିନି ବଂଶଲ ଏହାକୁ ସଂଯୋଜନା କରିବେ । ଏହା ପରେ ଓଡ଼ିଶାରେ ନିବେଶ ସୁଯୋଗ ନେଇ ପ୍ରବାସୀ ନିବେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା ହେବ । ଅପରାହ୍ଣରେ ଓଡ଼ିଶାର ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଗଠନ ନେଇ ଦୁଇଟି ଅଧିବେଶନରେ ଚର୍ଚ୍ଚା ହେବ । ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରାଯିବ । ସଂଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବେ ସାମିଲ । ୪ଟି ଚିତାକର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆଜି ଓଡ଼ିଶା ଆସିବା ପୂର୍ବରୁ ମୋଦୀ ଗତକାଲି ଟୁଇଟ କରିଛନ୍ତି । ଅନ୍ତିମ ଦିନରେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ବାବଦରେ ନିଜ ଅନୁଭୂତି ପ୍ରବାସୀଙ୍କ ସହ ବାଂଟିବେ । ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।