ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ , ତିଦ୍ଦତ ସମେତ ଉତ୍ତର ଭାରତ । ଭୂକମ୍ପ ନେଲା ଜୀବନ । ଆଜି ସକାଳୁ ନେପାଳ ଓ ତିଦ୍ଦତ ସୀମାରେ ଭୟଙ୍କର ଝଟକା ଅନୁଭୂତ ହୋଇଛି । ଲଗାତାର 6 ଟି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.1 ରେକର୍ଡ଼ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ରଏଟର୍ସର ସୂଚନା ମୁତାବକ, ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ନେପାଳରେ ୯ଜଣଙ୍କ ଜୀବନ ନେଇଛି ଭୂମିକମ୍ପ । ଅନେକ ଘର ଦ୍ୱାର ଭୁଶୁଡି ପଡିଛି । ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି ।
ନେପାଳ ସମେତ ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। ବିହାରର ମୋତିହାରି ଓ ସମସ୍ତିପୁର ସମେତ ବିଭିନ୍ନ ଅଞ୍ଚଳରେ ସକାଳ ୬ଟା ୪୦ ବେଳକୁ ଲୋକ ଝଟକା ଅନୁଭୂତ କରିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁ ନେପାଳରେ ଅତି କମ୍ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରବଳ କମ୍ପନ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।