ପ୍ରାୟ 5 ବର୍ଷ ପରେ କୋଭିଡ଼ 19 ଭୂତାଣୁ ଭଳି ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ଚୀନରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ସାଧାରଣତଃ ଶୀତକାଳରେ ଏହି ଭୂତାଣୁ ଅଧିକ ସକ୍ରିୟ ହେବା ସହିତ ସଂକ୍ରମଣ ବଢାଇଥିଲା ବେଳେ ବର୍ତମାନ ଚୀନର ବିଭିନ୍ନ ପ୍ରଦେଶରେ ଏହି ଭୂତାଣୁ କାୟା ବିସ୍ତାର କରି କୋଭିଡ଼ 19 ଭଳି ସ୍ଥିତି ଉତ୍ପନ୍ନ କରିଛି। ଏହାକୁ ନେଇ ଚୀନ ସକରାରଙ୍କ ଚିନ୍ତା ବଢିବାରେ ଲାଗିଛି । ବେଳକୁ ବେଳ ଏହି ଭୂତାଣୁ ସଂକ୍ରମଣ ବଢିବା ସହିତ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ସ୍ଥିତି ଏଭଳି ହୋଇଛି ଯେ, ଏବେ ରୋଗୀଙ୍କ ପାଇଁ ହସ୍ପିଟାଲରେ ସ୍ଥାନ ମିଳୁ ନାହିଁ। ଚୀନ୍ର ଏଭଳି ସ୍ଥିତିକୁ ଦେଖି ପୁଣି ପାଞ୍ଚ ବର୍ଷ ତଳର କଥା ମନେ ପକାଇ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଛି। ସ୍ଥିତି ମୁକାବିଲା ପାଇଁ ଚୀନ୍ ସରକାର ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିବା ସହିତ ମାସ୍କ ପରିଧାନକୁ ବାଧ୍ୟତାମୂକ କରିଛନ୍ତି। ଏହାବ୍ୟତୀତ କୋଭିଡ୍-୧୯ ବେଳେ ଯେଉଁସବୁ ନିୟମ ପାଳନ କରାଯଉଥିଲା ତାହାକୁ ମଧ୍ୟ ଅନୁସରଣ କରିବାକୁ ଲୋକଙ୍କୁ କୁହାଯାଇଛି।
ଚୀନର ଏଭଳି ସ୍ଥିତିକୁ ନେଇ ଏସିଆର ବହୁ ଦେଶରେ ସତର୍କତା ଜାରି କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି। କିନ୍ତୁ ଏହାସତ୍ତ୍ବେ ଏଚଏମପିଭି ଭୂତାଣୁ ଏବେ ହଂକଂରେ ପହଞ୍ଚିସାରିଥିବା କୁହାଯାଇଛି। ଚୀନ୍ର ପଡୋଶୀ ଦେଶ ଭାବେ ଏଠାରେ କିଛି ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। କେବଳ ହଂକଂ ନୁହେଁ, ବ୍ରିଟେନରେ ମଧ୍ୟ ଏହି ଭୂତାଣୁ ପହଞ୍ଚିସାରିଥିବା କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏହାଦ୍ବାରା ବିଶ୍ବର ଅନ୍ୟ ଭାଗରେ ଏହି ଭୂତାଣୁ ସଂକ୍ରମଣ ବଢାଇବାର ଆଶଙ୍କା ଦେଖାଦେଇଛି।
୨୦୨୦ର ପ୍ରଥମ ଭାଗରେ ପ୍ରଥମେ ଚୀନ୍ରେ କୋଭିଡ୍-୧୯ ଭୂତାଣୁ ମୁଣ୍ଡ ଟେକିଥିଲା। ପରେ ପରେ ଏହା ଚୀନ୍ର ସବୁ ପ୍ରଦେଶକୁ ବ୍ୟାପିବା ସହିତ ଅକଳ୍ପନୀୟ ପରିସ୍ଥିତି ସୃଷ୍ଟି କରିଥିଲା। କେବଳ ଚୀନ୍ ନୁହେଁ, କିଛି ଦିନ ବ୍ୟବଧାନରେ ଏହା ସାରା ବିଶ୍ବକୁ ଗ୍ରାସ କରିଥିଲା। ଚୀନ୍ରେ କୋଭିଡ୍ ଭୂତାଣୁ କାୟା ବିସ୍ତାର କରିବାର କିଛି ଦିନ ପରେ ଏହି ଭୂତାଣୁ ଭାରତରେ ମଧ୍ୟ ପହଞ୍ଚିଥିଲା। ପ୍ରଥମେ କେରଳରେ କୋଭିଡ୍ ଭୂତାଣୁ ସଂକ୍ରମିତଙ୍କୁ ଠାବ କରାଯିବା ପରେ ଅନ୍ୟ କିଛି ରାଜ୍ୟରେ ବିଦେଶାଗତ ଲୋକଙ୍କ ଠାରେ ଏହି ଭୂତାଣୁ ଠାବ କରାଯାଇଥିଲା। ପରେ ପରେ କୋଭିଡ୍-୧୯କୁ ନେଇ ଦେଶରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ତାହା କହିବା ଅନାବଶ୍ୟକ।
ସେତେବେଳେ କୋଭିଡ୍ ଭୂତାଣୁ ନେଇ ପ୍ରାଥମିକ ସ୍ତରରେ ସେଭଳି ଉଦବେଗ ପ୍ରକାଶ କରାଯାଇ ନ ଥିଲା। ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ପ୍ରାଥମିକ ସ୍ତରରେ ସେଭଳି ଉଦବେଗ ପ୍ରକାଶ କରାଯାଇ ନଥିଲା। କିନ୍ତୁ କିଛି ମାସ ମଧ୍ୟରେ ଏହି ମହାମାରୀ ବିଶ୍ବବ୍ୟାପୀ କାୟାବିସ୍ତାର କରିବା ସହିତ ଲକ୍ଷ ଲକ୍ଷ ଜୀବନ ନେଇଥିଲା। ଏହି ସ୍ଥିତିକୁ ମନେ ପକାଇଲେ ଚୀନ୍ର ସାଂପ୍ରତିକ ସ୍ଥିତି ଏବେ ମାନବ ସମାଜରେ ଭୟର ଆଶଙ୍କା ବଢାଇଛି। ଯଦିଓ ଏଚଏମପିଭିକୁ ନେଇ ବର୍ତ୍ତମାନ ସୁଦ୍ଧା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସେଭଳି କୌଣସି ସତର୍କତାମୂଳକ ପରାମର୍ଶ ଜାରି କରାଯାଇ ନାହିଁ ତଥାପି ଅନେକ ଦେଶ ଏହାପ୍ରତି କଡ଼ା ନଜର ରଖିବା ସହିତ ସତର୍କତାମୂଳକ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି। ଭାରତ ଚୀନର ପଡୋଶୀ ହୋଇଥÒଲେ ହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଭୂତାଣୁକୁ ନେଇ ଭୟଭୀତ ନ ହେବାକୁ କୁହାଯାଇଛି।