ଚାଷୀମାନଙ୍କ ସମସ୍ୟା ସମାଧାନ ତଥା ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନର ସମାଧନା ପାଇଁ ସୁପ୍ରିମକୋର୍ଟ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ପଞ୍ଜାମ ଓ ହରିୟାଣା ସରକାରଙ୍କଠାରୁ ଅଢେଇ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ଦାବି କରିଛି । ହରିୟାଣା ସରକାର ଏହି ଅର୍ଥ ମଞ୍ଜୁର କରିଛନ୍ତି କିନ୍ତୁ ପଞ୍ଜାବ ସରକାର ଏ ପର୍ଯ୍ୟନ୍ତ ଏହା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଏହି ମାମଲା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ କାର୍ଯ୍ୟାଳୟରେ ବିଚାର ପାଇଁ ରହିଛି । ଅଢେଇ କୋଟି ଟଙ୍କା ଏକ ବହୁତ ବଡ଼ ପରିମାଣ ହୋଇଥିବାରୁ ଏହା ଉପରେ ମନ୍ଥନ ଚାଲିଛି ।
ସେପ୍ଟେମ୍ବର ୨, ୨୦୨୪ରେ ଗଠିତ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ନବାବ ସିଂହ। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବିଏସ୍ ସାନ୍ଧୁ, କୃଷି ବିଶେଷଜ୍ଞ ଦେବେନ୍ଦ୍ର ଶର୍ମା, ଅର୍ଥନୀତିଜ୍ଞ ପ୍ରଫେସର ରଣଜିତ ସିଂହ ଘୁମ୍ମାନ୍ ଏବଂ ପଞ୍ଜାବ ରାଜ୍ୟ କୃଷକ ଓ କୃଷି ଶ୍ରମିକ ଆୟୋଗର ଅଧ୍ୟକ୍ଷ ସୁଖପାଲ ସିଂହ । କମିଟି ବର୍ତ୍ତମାନ ହରିୟାଣାର ପଞ୍ଚକୁଲାସ୍ଥିତ ପୂର୍ତ୍ତ ବିଭାଗ ଗେଷ୍ଟ୍ ହାଉସ୍ରୁ କାର୍ଯ୍ୟ କରୁଛି ଏବଂ ଚଣ୍ଡିଗଡ଼ର ପଞ୍ଜାବ କିଷାନ ଭବନ ଏବଂ ହରିୟାଣା ନିବାସରେ ବୈଠକ ଅନୁଷ୍ଠିତ ହେଉଛି। ରିପୋର୍ଟ ଅନୁଯାୟୀ, କମିଟିର ଜଣେ ସଦସ୍ୟ କହିଛନ୍ତି ଯେ କମିଟିକୁ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିଟିକୁ ଯାନବାହନ, ଇନ୍ଧନ, ସହାୟକ କର୍ମଚାରୀ, ଗବେଷକ, ଟାଇପିଷ୍ଟ ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କୁ ଡାକିବା, ସେମାନଙ୍କ ରହିବା ଓ ଖାଇବା ବସ୍ଥା କରିବା ପାଇଁ ମଧ୍ୟ ଟଙ୍କା ଦରକାର । କମିଟିକୁ ସୁରୁଖୁରୁରେ ଚଳାଇବା ପାଇଁ ଏହି ଖର୍ଚ୍ଚ ଜରୁରୀ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ହରିୟାଣା କର୍ତ୍ତୃପକ୍ଷ ବୈଠକରେ ଏହି ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବରେ ବହନ କରିବାକୁ ପ୍ରସ୍ତାବ ଦେଇସାରିଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଖର୍ଚ୍ଚ ୫୦:୫୦ ଅନୁପାତରେ ବଣ୍ଟନ କରାଯିବ ବୋଲି ସ୍ଥିର ହୋଇଥିଲା।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ଉଚ୍ଚସ୍ତରୀୟ କମିଟିକୁ ସମସ୍ତ ଲଜିଷ୍ଟିକ୍ ସହାୟତା, ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ବାଧ୍ୟ। ଏଥିପାଇଁ କମିଟି ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ଭତ୍ତା ଓ ଖର୍ଚ୍ଚର ବିଭାଜନ ଉଭୟ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍ଥିର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପଞ୍ଜାବ ସରକାର ଏ ପର୍ଯ୍ୟନ୍ତ ଏ ନେଇ କୌଣସି ସ୍ପଷ୍ଟ ପଦକ୍ଷେପ ନେଇନାହାନ୍ତି। କୃଷି ବିଭାଗ ପକ୍ଷରୁ ଏହି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନେବେ। ଦୁଇ ରାଜ୍ୟ ସରକାରଙ୍କ ସମନ୍ୱୟ ଏବଂ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।