ସଡ଼କ ସୁରକ୍ଷା ପାଇଁ କଡ଼ା ନିୟମ ରହିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହେଉଛି । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ପ୍ରତିବର୍ଷ ସଡ଼କ ସୁରକ୍ଷା ମାସ ପାଳନ ଜରିଆରେ ଲୋକଙ୍କୁ ସରକାର ସଚେତନ କରୁଛନ୍ତି । ଆଗକୁ ଆହୁରି ଦକ୍ଷ ଓ ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ସରକାର କାମ ଆରମ୍ଭ କଲେଣି । ଏତି ସବୁ ବିଧି ବ୍ୟବସ୍ଥା ସତ୍ତ୍ବେ କିନ୍ତୁ ସଡ଼କ ଦୁର୍ଘଟଣା 400 ଜୀବନ ନେଉଥିବା ବେଳେ ଓଡ଼ିଶାରେ ପ୍ରାୟ 15 ଜଣ ପ୍ରାଣ ହରାଉଛନ୍ତି । ଏଭଳି ଆକସ୍ମିକ ବିପତ୍ତି କେବଳ ନିର୍ଦ୍ଦିିଷ୍ଟ ପରିବାରକୁ ତଳିତଳାନ୍ତ କରୁନାହିଁ । ରାଜ୍ୟ ଓ ଦେଶର ଆର୍ଥିକ ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି କରୁଛି ।
ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ହାରାହାରି 5 ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ତିନି ଗୁଣାରୁ ଅଧିକ ଲୋକ ଗୁରୁତର ଆହତ ହେଉଛନ୍ତି । ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁ ଜାତୀୟ ହାରଠାରୁ ବି ଅଧିକ ହୋଇଗଲଣି । 2023 ରେ 5739 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୃତ୍ୟୁ । 2023ରେ ଗ୍ରାମାଞ୍ଚଳରେ ସଡ଼କ ଦୁର୍ଘଟଣା ହାର 63.2 ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର 67.7 ପ୍ରତିଶତ ରହିଛି । ଏହି ସମୟରେ ସହରାଞ୍ଚଳରେ ଏହି ହାର ଯଥାକ୍ରମେ 36.9 ପ୍ରତିଶତ ଓ 32. 3 ପ୍ରତିଶତ ରହିଥିଲା । ସରକାର କେବଳ କଠୋର ନିୟମ ପ୍ରଣୟନ କଲେ ହେବ ନାହିଁ; ପରନ୍ତୁ ଯେ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ ପ୍ରତି ଲୋକଙ୍କ ସମ୍ମାନ ନ ଆସିଛି, ସେ ପର୍ଯ୍ୟନ୍ତ ଏହା ଉପରେ ନିୟନ୍ତ୍ରଣ ପାଇବା କଷ୍ଟକର ବୋଲି ମତ ପ୍ରକାଶ ପାଇଛି। ଏଥିସହିତି ବିଭାଗଗୁଡିକ ମଧ୍ୟରେ ସମନ୍ୱୟର ଅଭାବକୁ ମଧ୍ୟ ବିଶେଷଜ୍ଞମାନେ ଦାୟୀ କରିଛନ୍ତି।
ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡିଶାରେ ପ୍ରତିଦିନ ହାରାହାରି ୧୬ଟି ଗୁରୁତର ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତାହାର ପ୍ରଭାବ ଢେର୍ ଅଧିକ ରହୁଛି। ଓଡିଶାରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୪୭ ଜଣ ପ୍ରାଣ ହରାଉଥିବା ବେଳେ ଜାତୀୟ ସ୍ତରରେ ଏହି ହାର ୩୭% ରହିଛି। ଗତ ୧୦ ବର୍ଷ ମଧ୍ୟରେ ଜାତୀୟସ୍ତରରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଓଡିଶାରୁ ୩.୨% ରହିଥିଲା। ୨୦୨୨ରେ ଓଡିଶାରେ ମୃତ୍ୟୁ ହାର ୪୬.୯% ଥିବା ବେଳେ ଜାତୀୟ ସ୍ତରରେ ଏହି ହାର ୩୬.୫% ରହିଥିଲା। ୨୦୨୦ରେ ଓଡିଶାରେ ମୃତ୍ୟୁ ହାର ୪୮.୩% ଓ ଜାତୀୟ ସ୍ତରରେ ୩୬% ଥିଲା। ୨୦୨୧ରେ ଯଥାକ୍ରମେ ୪୬.୩% ଓ ୩୭% ରହିଥିଲା। ୨୦୨୪ର ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ହାର ରିପୋର୍ଟ ସରକାରଙ୍କ ପକ୍ଷରୁ ଆସିନାହିଁ।
ଓଡିଶାର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦ୍ବେଗଜନକ ରହିଛି। ୨୧% ଘାତକ ଦୁର୍ଘଟଣାରେ ଭାରୀ ଯାନର ସମ୍ପୃକ୍ତି ରହୁଛି। ୫-ଇ (ଏଜୁକେସନ୍, ଏନକରେଜମେଣ୍ଟ, ଇଞ୍ଜିନିୟରିଂ, ଏନ୍ଫୋର୍ସମେଣ୍ଟ ଏବଂ ଇଭାଲ୍ୟୁଏସନ୍) ନୀତି ଆଧାରରେ ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର କାମ କରୁଛନ୍ତି। ଦୁର୍ଘଟଣା ପ୍ରବଣ କ୍ଷେତ୍ର (ବ୍ଲାକ୍ ସ୍ପଟ୍)ର ମରାମତି, ସୂଚନାଫଳକ ଲଗାଇବାଠାରୁ ଆରମ୍ଭ କରି ଜାତୀୟ ଓ ରାଜ୍ୟ ରାଜପଥରେ ସ୍ମାର୍ଟ କ୍ୟାମେରା ଲାଗିଛି। ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଇଏମ୍ଏସ୍) କାର୍ଯ୍ୟକାରୀ ହୋଇଛି। ସଡ଼କ ଦୁର୍ଘଟଣାର ସବିଶେଷ ବିବରଣୀ ଅପ୍ଲୋଡ୍ ପାଇଁ ଇଣ୍ଟିଗ୍ରେଟେଡେ୍ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ (ଆଇଆରଏଡି) ଭଳି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।