ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ଏବଂ ଅନେକ ଅଞ୍ଚଳରେ ଶୂନ୍ୟ ଦୃଶ୍ୟମାନତା ଜଟିଳ ସ୍ଥିତି କରିଛି । ସମଗ୍ର ଉତ୍ତର ଭାରତରେ ଶତାଧିକ ବିମାନ ଏବଂ ଅନକେ ଟ୍ରେନ ବିଳମ୍ବିତ ହୋଇଛି । ଘନ କୁହୁଡ଼ି ଯୋଗୁଁ ସଡ଼କ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ହରିୟାଣାର ହିସାରରେ ଦୁର୍ଘଟଣା ଘଟି 4 ଜଣଙ୍କ ମୃତ୍ୟୁ ଘଟିଛି । ଶନିବାର ସକାଳ ଦିଲ୍ଲୀ ବିମାନବନ୍ଦରରେ ରନଓ୍ବେ ଦୃଶ୍ୟମାନତା ଶୂନ୍ୟ ଥିବାରୁ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ କେତେକ ବିମାନର ଦିଗ ପରିବର୍ତନ କରାଯାଇଥିଲା । 520ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ପ୍ରାୟ 60ଟି ବିମାନକୁ ବାତିଲ କରାଯାଇଛି । ଦିଲ୍ଲୀ ବିମାନବନ୍ଦରରୁ ରାତି 12 ଟା 15 ରୁ 1 ଟା 30 ମଧ୍ୟରେ 15 ଟି ବିମାନର ଗତିପଥ ପରିବର୍ତନ କରାଯାଇଛି ।
କୋଲକାତା ବିମାନ ବନ୍ଦରରେ ୮୦ରୁ ଅଧିକ ବିମାନ ଚଳାଚଳ ବିଳମ୍ବିତ ହୋଇଥିବା ବେଳେ ୫ଟି ବାତିଲ କରାଯାଇଛି ବୋଲି ଫ୍ଲାଇଟ୍ ମନିଟରିଂ ପ୍ଲାଟଫର୍ମ ଫ୍ଲାଇଟ୍ରାଡାର ପକ୍ଷରୁ କୁହାଯାଇଛି। ଚଣ୍ଡିଗଡ଼, ଅମୃତସର, ଆଗ୍ରା ଓ ଉତ୍ତର ଭାରତର ଅନ୍ୟ କେତେକ ବିମାନବନ୍ଦରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ଓ ସଡ଼କ ଚଳାଚଳ ବାଧାପ୍ରାପ୍ତ ହେବା ସହ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ହରିୟାଣାର ହିସାରରେ କୁହୁଡ଼ିଜନିତ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ, ନଏଡା, ଗୁରୁଗ୍ରାମ, ଲକ୍ଷ୍ନୌ, ଆଗ୍ରା, କର୍ନାଲ, ଗାଜିଆବାଦ, ଅମୃତସର, ଜୟପୁର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିବିଲିଟି ହ୍ରାସ ଯୋଗୁଁ ଗାଡ଼ିଗୁଡ଼ିକ ଅତ୍ୟନ୍ତ କମ୍ ବେଗରେ ଚଳାଚଳ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରି ସହରରେ ‘ଅତି ଘନ କୁହୁଡ଼ି’ ସୃଷ୍ଟି ହେବାର ସତର୍କ ସୂଚନା ଜାରି କରିଛି। ଶନିବାର ସକାଳ ସାଢ଼େ ୫ଟାରେ ସହରର ତାପମାତ୍ରା ୧୦.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ଏହା ୯.୬ ଡିଗ୍ରି ଥିଲା। ସଦ୍ୟତମ ଉପଗ୍ରହ ଚିତ୍ରରେ ସମଗ୍ର ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି।