ଭୁବନେଶ୍ବର ଏବେ ରଙ୍ଗିନ ହୋଇଛି । ଶୀତୁଆ ସକାଳ ନୂଆ ନୂଆ ଲାଗୁଛି । ସଂଧ୍ୟା ନଇଁଲେ ରଙ୍ଗିନୀ ଆଲୋକରେ ଝଲକୁଛି ରାଜଧାନୀ । ଚାରିଆଡ଼େ ଏବେ ଉତ୍ସବର ମାହୋଲା । କାରଣ ହେଉଛି ଆସନ୍ତା 8 ତାରିଖରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ।
ତିନି ଦିନ ଧରି ରାଜଧାନୀରେ ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପୁଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସୁଛନ୍ତି ଭୁବନେଶ୍ବର ।
ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀଙ୍କ ସହ ବହୁ ଗୁରୁତ୍ବପୂଣ୍ଣ ବ୍ୟକ୍ତିବିଶେଷ ଓଡ଼ିଶାରେ ଆସି ପହଁଚିବାରେ ଲାଗିଛନ୍ତି ।
ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଅତିଥିମାନଙ୍କ ସୁରକ୍ଷା ଓ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି ।
ପୁଲିସ ଡ଼ିଜି ଓ୍ବାଇ ବି ଖୁରାନିଆ କହିଛନ୍ତି କାର୍ଯ୍ୟକ୍ରମକୁ ଶାନ୍ତି ଶୃଖଂଳାର ସହ କରିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି । ଭୁବନେଶ୍ବର କ୍ୟାମ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ସେ ପୁଲିସ ବିଭାଗର ପ୍ରସ୍ତୁତି ପରିଚାଳନା ଟ୍ରଫିକ ସୁପରିଚାଳନା ଆଦିର ଅନୁଧ୍ୟାନ କରିଛନ୍ତି । ଆତଙ୍କବାଦୀ ପନ୍ନୁ ଧମକ ଦେଇଥିବାରୁ ପୁଲିସ ଏଥିପ୍ରତି ସତର୍କ ରହିଛି ।
ବିମାନବନ୍ଦରରେ ଏବଂ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ଅତିଥି ଓ ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଖୁରାନିଆ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୬୫୦ ବରିଷ୍ଠ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ। ସେହିପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ସଜାଗ ରହିବେ।
ଏଥି ସହ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଭାରତୀୟ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସ୍ଥାନରେ ଥିବା ପର୍ଯ୍ୟଟନସ୍ଥଳ ଗୁଡିକର ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।
ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ ଆଦି ଜିଲ୍ଲାରେ ଥିବା ହୋଟେଲଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ସହରଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।