ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡ଼ିଏ ଛାଡ଼ୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡ଼ି ନେତା ଲାଲୁପ୍ରସାଦ ଯାଦବ କୁଆଡ଼େ ନୀତିଶଙ୍କୁ ବଡ଼ ଅଫର ଦେଇଛନ୍ତି । ହେଲେ ଏହି ଅଫର କଣ ରହିଛି ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ମିଡ଼ିଆକୁ ଶାନ୍ତ କରିବାକୁ ଲାଲୁ ଏମିତି ବୟାନ ଦେଇଛନ୍ତି । ନୀତିଶଙ୍କ ସମ୍ପର୍କରେ ଯଦି ଗଣମାଧ୍ୟମ ନିଇତି କିଛି ନା କିଛି ପଚାରିବ ତାହେଲେ ଲାଲୁ କଣ କହିବେ ବୋଲି ସେ ଓଲଟି ମିଡ଼ିଆକୁ ପ୍ରଶ୍ନ କରିଛନ୍ତି । ଶୀତ ପାଗରେ ସରଗରମ ହେଲାଣି ବିହାର ରାଜନୀତି । ନୂଆ ସରକାରକୁ ମାତ୍ର ବର୍ଷେ ହେବା ପରେ ପୁଣି ଥରେ ନୀତିଶ ଏନଡିଏ ଛାଡ଼ି ଇଣ୍ଡି ମେଣ୍ଟ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପଟେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି କଂଗ୍ରେସର ବିଧାୟକ ଦଳ ନେତା ସକିଲ ଅହମ୍ମଦ ଖାନଙ୍କ ବୟାନ । ସେ କହିଛନ୍ତି, ଯେଉଁମାନେ ଗାନ୍ଧୀବାଦୀ ଥିବେ ସେମାନେ ଆମ ସହ ଆସିବେ । ନୀତିଶଙ୍କ କାମକୁ ଦେଖିଲେ ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କୁହାଯାଇପାରିବ । ତେଣୁ ସେ ବି ଆମ ପାଖକୁ ଆସିବାରେ କୌଣସି ଅସୁବିଧା ନାହିଁ ।
ଅନେକ ସମୟରେ ଦେଖାଯାଇଛି କି ବର୍ଷ ଆରମ୍ଭରୁ ହିଁ ନୀତିଶ ଦଳ ବଦଳାଇ ଦିଅନ୍ତି । ଥରେ କି ଦୁଇଥର ନହେଁ ବରଂ ବାରମ୍ୱାର ଏମିତି କରୁଥିବା ନଜିର ରହିଛି । ତେଣୁ ଏମିତି ସ୍ଥିତିରେ ଆରଜେଡି ଓ କଂଗ୍ରେସ ନେତାଙ୍କ ବୟାନକୁ ତର୍ଜମା କଲେ ନୀତିଶ ଏନଡିଏ ଛାଡିବା ଚର୍ଚ୍ଚା ବଢିଛି । ତେବେ ପ୍ରଶ୍ନ ହେଉଛି, ସତରେ କଣ ଏନଡିଏ ଛାଡ଼ି ନୀତିଶ ପୁଣି ଥରେ ଇଣ୍ଡି ମେଣ୍ଟରେ ଯୋଗ ଦେବେ । ଯଦି କୌଣସି ଆଲୋଚନା ହୋଇ ନାହିଁ, ତାହାଲେ ବିରୋଧୀ ଦଳର ନେତା ନୀତିଶଙ୍କୁ ଗାନ୍ଧିବାଦି କହିଲେ କାହିଁକି । କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ଖାଲି ଦୂରେଇ ରଖୁଛନ୍ତି ତାହା ନୁହେଁ ବରଂ ଗଣମାଧ୍ୟମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରଖୁଥିବା ନୀତିଶ ଏବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଆଉ ଯେବେ ଯେବେ ନୀତିଶ ଚୁପ୍ ରହିଛନ୍ତି, ସେବେ ସେବେ ଦଳ ବଦଳାଇଛନ୍ତି । ତେଣୁ ଚର୍ଚ୍ଚା ହେବାର ଇଏ ଗୋଟିଏ କାରଣ ହୋଇଥାଇପାରେ । ସଜସଜ ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ ।
ପୂର୍ବରୁ ବି ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ଗୋଟିଏ ପଟେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନୀତିଶଙ୍କର ଦେଖା ମିଳିନଥିଲା । ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଂଟାକୁ ସଫାସଫା ମନା କରିଦେଇଛି ।
ମୋଟ୍ ଉପରେ ନୀତିଶଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ବଢିଛି । ଆଉ ଏହାରି ଭିତରେ ଏନଡିଏ ନେତା କହିଛନ୍ତି, ଜେଡିୟୁର ଅନେକ ନେତା ଆମ ସହ ସମ୍ପର୍କରେ ଅଛନ୍ତି । ତେଣୁ ପୁରା ଘଟଣାକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆଗାମୀ ଦିନରେ ବିହାର ରାଜନୀତିରେ କିଛି ଗୋଟାଏ ପରିବର୍ତ୍ତନ ହେବ ।