1901 ପରଠାରୁ 2024 ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଗତ 123 ବର୍ଷ ମଧ୍ୟରେ 2024 ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା ଏବଂ ହାରାହାରି ସର୍ବନିମ୍ନ ତାପମାତ୍ରା ଦୀର୍ଘକାଳୀନ ହାରାହାରି ତାପମାତ୍ରାଠାରୁ 0.90 ଡ଼ିଗ୍ରୀ ସେଲସିୟସ ଅଧିକ ରହିଥିଲା । ଆଇଏମଡ଼ି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ 2024ରେ ଭାରତରେ ବାର୍ଷିକ ହାରାହାରି ସ୍ଥଳପୃଷ୍ଠ ବାୟୁ ତାପମାତ୍ରା ଦିର୍ଘମିଆଦି ହାରାହାରି ଠାରୁ 0.65 ଡ଼ିଗ୍ରି ସେଲସିୟସ ଅଧିକ ଥିଲା ।
ମହାପାତ୍ର କହିଛନ୍ତି ଯେ 1901 ପରଠାରୁ 2024 ହିଁ ସବୁଠାରୁ ଉଷ୍ମ ବର୍ଷ ଭାବେ ପରିଗଣିତ ହୋଇଛି । ଏହା 2016 ତାପାମତ୍ରାକୁ ମଧ୍ୟ ଅତିକ୍ରମ କରିଛି ଏବଂ ସେହି ବର୍ଷ ସ୍ଥଳପୃଷ୍ଠର ହାରାହାରି ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ୟୁରୋପୀୟ ଜଳବାୟୁ ଏଜେନ୍ସି କୋପରନିକସ୍ କହିଛି ଯେ ୨୦୨୪ ସମ୍ଭବତଃ ସବୁଠାରୁ ତତଲା ବର୍ଷ ଭାବେ ଶେଷ ହୋଇଛି ଏବଂ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିବା ପ୍ରଥମ ବର୍ଷ ସାବ୍ୟସ୍ତ ହୋଇଛି। ୨୦୨୪ରେ ବିଶ୍ୱରେ ୪୧ ଦିନ ବିପଜ୍ଜନକ ତାପମାତ୍ରା ଅନୁଭୂତ ହୋଇଥିଲା।