ଦେଶର ପରିବାରଗୁଡ଼ିକ ଉପରେ ଋଣ ଚାପ ଲଗାତାର ଲାବେ ବଢୁଛି । ଗାଡ଼ି କିଣିବା ପିଲାଙ୍କୁ ପାଠପଢାଇବା ,ଟିଭି ଫ୍ରିଜ ଭଳି ଜିନିଷ କିଣିବା କ୍ରେଡ଼ିଟ କାର୍ଡ଼ରେ ଖର୍ଚ୍ଚ କରିବା , ବ୍ୟକ୍ତିଗତ ଋଣ ଆଣି ଜରୁରୀ ଆବଶ୍ୟକତା ପୂରଣ କରିବା ଭଳି କାମ ଲାଗି ପରିବାରର ଋଣ ବଢିବାରେ ଲାଗିଛି । ଏହା କିନ୍ତୁ ଚିନ୍ତାଜନକ ସ୍ତରକୁ ଯାଇନାହିଁ । କାରଣ ପରିବାରର ବିଭିନ୍ନ ସଦସ୍ୟ ସେମାନଙ୍କ ବ୍ୟକ୍ତିଗତ କାମ ଲାଗି ଏହି ଋଣ ନେଉଛନ୍ତି । ତେଣୁ ତାହାକୁ ପରିଶୋଧ କରିବାର କ୍ଷମତା ମଧ୍ୟ ସେମାନଙ୍କ ପାଖରେ ରହିଛି । ପରିବା ସମ୍ପୂଣ୍ଣ ଋଣଗ୍ରସ୍ତ ହେବାର ଆଶଙ୍କା ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ।
ଗତ ତିନି ବର୍ଷ ହେଲା ପରିବାରର ଋଣ ଲଗାତାର ଭାବେ ବଢ଼ୁଛି। ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟ ଅନୁଯାୟୀ ୨୦୨୪ ଜୁନ୍ ସୁଦ୍ଧା ଦେଶର ପାରିବାରିକ ଋଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪୨.୯ ପ୍ରତିଶତ ରହିଛି। ଉଦୀୟମାନ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହି ହାର କମ୍ ରହିଛି। ପରିବାରଗୁଡ଼ିକ ଉପରେ ଯେଉଁ ଆର୍ଥିକ ଦେୟର ଚାପ ରହିଛି, ସେଥିରୁ ୯୧ ପ୍ରତିଶତ ହେଉଛି ପରିବାରର ସଦସ୍ୟମାନେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନେଇଥିବା ଋଣ। ଲୋକମାନେ ମୁଖ୍ୟତଃ ବ୍ୟକ୍ତିଗତ ଋଣ, କ୍ରେଡିଟ୍ କାର୍ଡ, ଟିଭି-ଫ୍ରିଜ୍-ଏସି ଭଳି କଞ୍ଜ୍ୟୁମର ଡ୍ୟୁରେବଲ୍ ଜିନିଷ କିଣିବା ଲାଗି ଋଣ ନେଇଛନ୍ତି। ଏହା ବ୍ୟତୀତ ସମ୍ପତ୍ତି ସୃଷ୍ଟି ଲାଗି ସେମାନେ ବନ୍ଧକ ଋଣ, ଦୁଇଚକିଆ ଯାନ ଓ ବଡ଼ ଗାଡ଼ି କିଣିବା ଲାଗି ଋଣ ନେଇଛନ୍ତି। ଉତ୍ପାଦକତା ବର୍ଗରେ ଲୋକମାନେ କୃଷି ଋଣ, ବ୍ୟବସାୟ ଋଣ ଓ ଶିକ୍ଷା ଋଣ ନେଇଛନ୍ତି। ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ମୁଣ୍ଡପିଛା ଋଣ ସୁପର-ପ୍ରାଇମ୍ ଗ୍ରାହକ ବର୍ଗରେ ବଢ଼ିଛି। ସେମାନେ ମୁଖ୍ୟତଃ ସମ୍ପତ୍ତି ସୃଷ୍ଟି କରିବା ଲାଗି ଋଣ ନେଇଛନ୍ତି। ସେମାନଙ୍କ ଋଣ ପରିଶୋଧ କ୍ଷମତା ମଧ୍ୟ ଉଚ୍ଚ ମାନର ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପାରିବାରିକ ଋଣଗ୍ରହୀତାଙ୍କୁ ରିପୋର୍ଟରେ ଦୁଇ ବର୍ଗରେ ଭାଗ କରାଯାଇଛି। ଗୋଟିଏ ହେଉଛି ସବ୍-ପ୍ରାଇମ୍ ଓ ଅନ୍ୟଟି ହେଉଛି ସୁପର୍ ପ୍ରାଇମ୍। ଅଳ୍ପ ପରିମାଣର ଋଣ ଆଣିଥିବା ବର୍ଗ ହେଉଛି ସବ୍-ପ୍ରାଇମ୍। ଏହି ବର୍ଗର ଗ୍ରାହକମାନେ ୪୮ ପ୍ରତିଶତ ଋଣକୁ ଉପଯୋଗିତା, ୨୬ ପ୍ରତିଶତ ସମ୍ପତ୍ତି ସୃଷ୍ଟି ଓ ୨୬ ପ୍ରତିଶତ ଋଣକୁ ଉତ୍ପାଦକତା ଲାଗି ନେଇଛନ୍ତି। କିନ୍ତୁ ସୁପର୍-ପ୍ରାଇମ୍ ଗ୍ରାହକମାନେ ଭିନ୍ନ କାର୍ଯ୍ୟ ଲାଗି ଋଣ ନେଇଛନ୍ତି। ଏହି ବର୍ଗର ଗ୍ରାହକମାନେ ୬୪ ପ୍ରତିଶତ ଋଣ ସମ୍ପତ୍ତି ସୃଷ୍ଟି କରିବା, ୩୧ ପ୍ରତିଶତ ଉପଯୋଗିତା ଓ ମାତ୍ର ୫ ପ୍ରତିଶତ ଋଣ ଉତ୍ପାଦକତା ଲାଗି ନେଇଛନ୍ତି।