2024 ବର୍ଷ ସରିବାକୁ ଆଉ ଦୁଇଦିନ ବାକି । ସରକାରଙ୍କୁ 200 ଦିନ ପୁରିଲା । ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ 3000 ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ବପ୍ନ ହୋଇଗଲା । 80 ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ 3500 ଟଙ୍କା ଦିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହେଲା ତାହା ଏଯାଏ ମିଳିଲା ନାହିଁ । ବିଡ଼ମ୍ବନା ହେଉଛି ପୂର୍ବରୁ ନବୀନ ସରକାର ସମୟରେ ଯେଉଁ 1000 ଟଙ୍କା ଭତ୍ତା ମିଳୁଥିଲା ତାହା ବି ବିଳମ୍ବିତ ହୋଇ ଚାଲିଛି । ପୂର୍ବରୁ ହିତାଧିକାରୀଙ୍କୁ 16 ତାରିଖ ମଧ୍ୟରେ ଭତ୍ତା ରାଶି ପ୍ରଦାନ କରାଯାଉଥିବର ବେଳେ ଏବେ 27 ତାରିଖ ପର୍ଯ୍ୟନ୍ତ ତାହା ମିଳି ନ ଥିବା ଅଭିଯୋଗ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ ଆଗତ ପୂର୍ଣ୍ଣାଙ୍ଗ ବଜେଟରେ 80 ବର୍ଷ ବା ତଦୁର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନକ୍ଷମ ମାସିକ ଭତ୍ତା ରାଶି 3500 ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୋଟ 370077 ଜଣ 80 ବର୍ଷ ବା ତଦୁର୍ଦ୍ଧ୍ବ ବୟସ୍କ ଭତ୍ତା ହିତାଧିକାରୀ ଏହାଦ୍ବାରା ଉପକୃତ ହୋଇଥାନ୍ତେ । ମାତ୍ର ୨୦୨୪ ସରିବାକୁ ବସିଥିଲେ ହେଁ ଏଯାବତ୍ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଗଲା ନାହିଁ। ଘୋଷଣାକୁ କାର୍ଯ୍ୟକାରୀ କରିବାରେ କାହିଁକି ବିଳମ୍ବ ହେଉଛି, ସେ ସମ୍ପର୍କରେ ସରକାରଙ୍କ ପାଖରେ ଉତ୍ତର ନାହିଁ। ପ୍ରତି ମାସରେ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ରାଶି ପାଇଁ ଅଶୀତିପର ହିତାଧିକାରୀ ଚାହିଁ ବସିଥିବାବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ ତାହା ମିଳିପାରି ନାହିଁ ।
ଅନ୍ୟପକ୍ଷରେ ଡ଼ିସେମ୍ବର ମାସରେ ଜାତୀୟ ସାମାଜିକ ନିରାପତ୍ତା ସହାୟତା କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀଙ୍କୁ ଭତ୍ତା ରାଶି ୨୭ ତାରିଖ ପର୍ଯ୍ୟନ୍ତ ମିଳି ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି କାର୍ଯ୍ୟକ୍ରମ ଅଧିନରେ ଭତ୍ତା ଟଙ୍କା ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ମିଳୁଥିଲା। ନୂଆ ସରକାର ଆସିବା ପରେ ଭତ୍ତା ପ୍ରଦାନ ଅବଧି ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚି ଆସିଲା। ମାତ୍ର ଚଳିତ ମାସରେ ୪ର୍ଥ ସପ୍ତାହ ପର୍ଯ୍ୟନ୍ତ ଏହି ଭତ୍ତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ନାହିଁ। ମିଳିଥିବା ସୂଚନା ଅନୁସାରେ ୨୮ ତାରିଖ ବିଳମ୍ବିତ ରାତିରେ କିଛି ଅଞ୍ଚଳର ହିତାଧିକାରୀଙ୍କ ବ୍ୟାଙ୍କକୁ ଭତ୍ତା ରାଶି ପଠାଯାଇଛି । ମାତ୍ର ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।
ରାଜ୍ୟରେ ଏବେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମୋଟ୍ ୪୭,୪୯,୨୮୭ ଜଣ ବ୍ୟକ୍ତି ଉପକୃତ ହେଉଛନ୍ତି । ଏହି ଭତ୍ତାଧାରୀଙ୍କ ମଧ୍ୟରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୮୦ବର୍ଷ ବା ତଦୁର୍ଦ୍ଧ ବୟସର ୧,୫୫,୭୦୯ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ରାଜ୍ୟ ସରକାର ଦେଉଥିବା ମଧୁବାବୁ ଯୋଜନାରେ ୮୦ ବର୍ଷ ବା ତାହାଠାରୁ ଅଧିକ ବୟସର ୨,୧୦,୬୮୫ ଜଣ ଭତ୍ତାଧାରୀ ରହିଛନ୍ତି । ଏହି ଦୁଇ ପେନସନ ଯୋଜନାରେ ଥିବା ୮୦ବର୍ଷ କିମ୍ୱା ତଦୁର୍ଦ୍ଧ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୩,୬୬,୩୯୪ । ସେହିଭଳି ଏହି ଦୁଇ ଯୋଜନାରେ ୨,୩୦,୬୦୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ଏମାନଙ୍କ ମଧ୍ୟରୁ କେତେଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଛନ୍ତି ତାହାର ହିସାବ ସରକାର କରିପାରୁ ନ ଥିବା ଯୋଗୁଁ ଭତ୍ତା ପ୍ରଦାନ ବିଳମ୍ବିତ ହେଉଥିବା କୁହାଯାଉଛି । ବିଡ଼ମ୍ବନା ହେଉଛି ଭତ୍ତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭେଦଭାବ ଏବେ ବିିଭିନ୍ନ ମହଲରେ ତୀବ୍ର ସମାଲୋଚିତ ହୋଇଛି। ବର୍ଦ୍ଧିତ ଭତ୍ତାକୁ ଚାହିଁ ଚାହିଁ ଇତିମଧ୍ୟରେ ଅନେକ ହିତାଧିକାରୀ ମଧ୍ୟ ଆଖି ବୁଜିଲେଣି। ମାତ୍ର କ୍ଷମତା ଦଖଲର ୨୦୦ ଦିନ ପୂର୍ତ୍ତି କରି ସାରିଥିବା ସରକାର ଏହି ସାଧାରଣ ସମସ୍ୟାଟିର ସମାଧାନ କରିବାରେ ବିଫଳ ହୋଇଛନ୍ତି।