ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ପ୍ରତି ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଥିବା ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ତାଙ୍କର ବୁଦ୍ଧି, ଦୂରଦୃଷ୍ଟି ଓ ଭାରତର ସେବା ପ୍ରତି ଅତୁଟ ପ୍ରତିବଦ୍ଧତା ପାଇଁ ଦେଶ ବିକାଶ ପଥରେ ଆଗେଇଛି।
ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ।
ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ସିଂହ ଭାରତର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହରୁଙ୍କ ପରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ।
ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେଏହା କେବେ ଓ କେଉଁଠି ହେବ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି।