ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ। ୧୯୯୧ରେ ଆରମ୍ଭ ହୋଇଥିବା ଦେଶର ଅର୍ଥନୈତିକ ସଂସ୍କାରକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛଥିଲେ। ଆଜି ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିଲା । ଡ. ସିଂ ୨୬ ସେପ୍ଟେମ୍ବର ୧୯୩୨ରେ ପାକିସ୍ତାନର ପଶ୍ଚିମ ପଂଜାବର ଚକଓ୍ବାଲ ଜିଲ୍ଲାର ସ୍ଥିତ ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ରେ ଦେଶ ବିଭାଜନ ପରେ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲେ । ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଅଧ୍ୟୟନ କରିଥିଲେ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡି.ଫିଲ ଡିଗ୍ରୀ ନେଇଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଭାରତୀୟ ଅର୍ଥନୀତିରେ ସୁଧାରତା ଆଣି ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କର ପ୍ରଚଣ୍ଡ ବାଗ୍ନୀତା ଓ ଦେଶ ସେବାକୁ ଭୁଲି ହେବ ନାହିଁ l ସେ ବହୁତ ପାଣ୍ଡିତ୍ୟର ଅଧିକାରୀ ଥିଲେ ମଧ୍ୟ ତାଙ୍କର ସରଳତା, ଭଦ୍ରତା ଓ ଅମାୟିକ ପ୍ରାଣ ତାଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖିପାରିଥିଲା l ଦେଶର ପ୍ରଗତୀ ଦିଗରେ ତାଙ୍କର ଅବଦାନ ଆମ ପାଖରେ ଚିରସ୍ମରଣୀୟ ହୋଇ ରହିବ ବୋଲି ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି l
ଏହି ଅବସରରେ ଶ୍ରୀ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ସ୍ବର୍ଗତ ଆତ୍ମାର ସଦଗତି ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l