27 ବର୍ଷ ପୂରଣ କରି ବିଜେଡ଼ି ଆଜି 28 ବର୍ଷରେ ପାଦ ଥାପିଛି । ଏହି 27 ବର୍ଷର ଦଳ 24 ବର୍ଷ ଓଡ଼ିଶା ଶାସନର ମଙ୍ଗ ଧରି ଓଡ଼ିଶାକୁ ବିକାଶର ଏକ ନୂଆ ଦିଗନ୍ତ ପ୍ରଦାନ କରିଛି । ଗୁରୁବାର ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ।
ତେବେ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ ରାଜ୍ୟରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ନବୀନ ଆହୁରି ମଧ୍ୟ କହିଛନ୍ତି ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଦୃଢ଼ତା ସହ ଆଗକୁ ବଢ଼ୁଛି। ସେପଟେ EVM ଚଞ୍ଚକତା କଣ ବିଜେଡି ପରାଜୟର କାରଣ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଏହା ସେହି ଆଡ଼େ ଇସାରା ଦେଉଛି। ଯାହାର ଯାଞ୍ଚ ହେବା ଦରକାର। ଆମେ ପେପର ବାଲଟ ସପକ୍ଷରେ ଅଛୁ। କାହିଁକି ବିଜେପି EVM ନେଇ ଏତେ ଛାନିଆ ହେଉଛି। କେହି ତାଙ୍କୁ ନେଇ ଆକ୍ଷେପ କରି ନାହାନ୍ତି। ଏହା ସୂଚାଉଛି ଯେ ଠାକୁର ଘରେ କିଏ, ମୁଁ କଦଳୀ ଖାଇନି।
ଏହାପରେ ନବୀନଙ୍କ ପରେ କିଏ ବିଜେଡିର ମଙ୍ଗ ଧରିବ ନେଇ ସାମ୍ବାଦିକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ‘ମୁଁ ବହୁତ ଲମ୍ବା ସମୟ ଧରି ଅଛି, ମୋ ପରେ କିଏ ଏ ନେଇ ମୁଁ ଚିନ୍ତା କରିନି’। ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗକୁ ନେଇ ନବୀନ କହିଛନ୍ତି ଆମେ ଏହା ଯାଞ୍ଚ କରୁଛି। ଆଗକୁ ଏନେଇ ଆମେ ଆମର ପକ୍ଷ ରଖିବୁ।
ସେପଟେ ଗତକାଲି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ପ୍ରଶଂସା କରି ନବୀନଙ୍କୁ ଭାରତରତ୍ନ ଦେବାକୁ କହିଥିଲେ। ଯାହାକୁ ନେଇ ନବୀନ କହିଛନ୍ତି ମୋ ପାଇଁ ଭାରତ ରତ୍ନ ପ୍ରସ୍ତାବ ନେଇ କୌଣସି ଖବର ନାହିଁ। ଆମ ଦଳ ଓ ଅନେକ ଲୋକ ବିଜୁ ପଟ୍ଟନାୟକଙ୍କ ପାଇଁ ଭାରତ ରତ୍ନ ସପକ୍ଷରେ ଅଛନ୍ତି।