ବଡ଼ଦିନ ଡ଼ିସେମ୍ବର 25 ରେ ରୁଷିଆ ପକ୍ଷରୁ ଯୁକ୍ରେନ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । କ୍ଷପଣାସ୍ତ୍ର ଏବଂ ଡ଼୍ରୋନ ସାହାର୍ଯ୍ୟରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରାଯାଇଛି । ରୁଷିଆର ଆକ୍ରମଣ ୟୁକ୍ରେନର ଉତ୍ତର ପୂର୍ବ ସହର ଖାର୍କିଭରେ ସର୍ବାଧିକ କ୍ଷତି ଘଟାଇଛି ।
ଖାର୍କିଭ ମେୟର ଟେଲିଗ୍ରାମରେ ଲେଖିଛନ୍ତି ସହରରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଅନେକ ବିସ୍ଫୋରଣର ଶଦ୍ଦ ଶୁଣାଯାଇଛି ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବେ ମଧ୍ୟ ସହର ଆଡ଼କୁ ଗତି କରୁଛି ବୋଲି ସେ କହିଛନ୍ତି ।
ଆଞ୍ଚଳିକ ଗଭର୍ଣ୍ଣର ଓଲେହ ସିନିହୁବୋଭ କହିଛନ୍ତି ଯେ, ସେ ରୁଷିଆ ପକ୍ଷରୁ ସାତୋଟି ଆକ୍ରମଣ ହୋଇଥିବା ଗଣନା କରିଛନ୍ତି। ଆକ୍ରମଣ ଯୋଗୁ ଆହତଙ୍କ ସଂଖ୍ୟା ମଧ୍ୟ ଆକଳନ କରାଯାଉଛି।
ଏହାପୂର୍ବରୁ, ୟୁକ୍ରେନ ବାୟୁସେନା ରିପୋର୍ଟ କରିଥିଲା ଯେ, ରୁଷିଆର ଟିୟୁ-୯୫ ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ରାତିରେ ଉଡ଼ି ବୋମାମାଡ଼ କରିଥିଲା।ଏହା ପରେ ଘୋଷଣା କରାଯାଇଥିଲା ଯେ, କୃଷ୍ଣସାଗରରୁ କାଲିବର କ୍ରୁଜ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି। ତେବେ ପ୍ରଥମେ କ୍ଷେପଣାସ୍ତ୍ର କେଉଁ ଆଡେ ଯାଉଥିଲା ତାହା ଜଣା ପଡି ନ ଥିଲା।
ଏହି ଆକ୍ରମଣରେ ଅଗ୍ନିକାଣ୍ଡ ଘଟି ସାଧାରଣ ନାଗରିକଙ୍କ ଘର ନଷ୍ଟ ହୋଇଯାଇଥିବା ରାଜ୍ୟପାଳ ସିନିହୁବୋଭ ସୂଚନା ଦେଇଛନ୍ତି। ଦୁଇ ଜଣ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି। ଖାର୍କିଭ୍ ସହର ରୁଷିଆ ସୀମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ତିନି ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧ ସମୟରେ ଏହା କ୍ରମାଗତ ଏୟାର ଷ୍ଟ୍ରାଇକ୍ର ସମ୍ମୁଖୀନ ହେଉଛି।
ଏହାପୂର୍ବରୁ, ଖାର୍କିଭ୍ ମେୟର ଖ୍ରୀଷ୍ଟମାସ ଅବସରରେ ଘୋଷଣା କରିଥିଲେ ଯେ, ଫେବୃଆରୀ ୨୦୨୨ରେ ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସହରକୁ ଆଲୋକରେ ସଜାଯିବ। କିଛି ଦିନ ପୂର୍ବରୁ, ଡିସେମ୍ବର ୨୦ରେ, ରୁଷିଆ କିଭ୍ରେ ପାଞ୍ଚଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି କାରଣରୁ ଏକ ଅଟ୍ଟାଳିକାରେ ନିଆଁ ଲାଗିଯାଇ ଅନେକ ଲୋକ ଆହତ ହୋଇଥିଲେ। ଅନେକ ବିଦେଶୀ ଦୂତାବାସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।