କୁମ୍ଭ ମେଳାକୁ ନେଇ ସାରା ଭାରତରେ ଚର୍ଚା । ଏଥର କୋଟି କୋଟି ଲୋକଙ୍କ ସମାଗମ ହେବ । କୁମ୍ଭ ମେଳାପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ପ୍ରସ୍ତୁତି ଚଳାଇଛନ୍ତି । ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ ହୋଇଥିବାରୁ ଏଥର କୁମ୍ଭ ମେଳାକୁ ରେକର୍ଡ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥର ବଜେଟ ଛଅ ହଜାର ଟଙ୍କାରୁ ଅଧିକ ରହିଛି ।
୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୋଇଥାଏ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରିଥାନ୍ତି ।
ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।
ଏଥର ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ମହାକୁମ୍ଭ ସ୍ଥଳକୁ ସ୍ଵଚ୍ଛ ଏବଂ ସୁନ୍ଦର ରଖାଯିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ବହୁ ମାନଗଣ୍ୟ ବ୍ୟକ୍ତି ଏଥର କୁମ୍ଭ ମେଳାରେ ଯୋଗଦେବେ ।
ମେଳା ସମୟରେ ମାସାଧିକ କାଳ ଯେପରି ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ ସେଥିପାଇଁ ୟୁପି ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସେ ନେଇ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ ମାନେ କିପରି ଆରାମଦାୟକ ଏବଂ ସ୍ଵଚ୍ଛ ପରିବେଶରେ ରହିପାରିବେ , ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।