ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କୁଏତ ଗସ୍ତ ଶେଷ ହୋଇଛି । ଏହି ସମୟରେ କୁଏତର ପ୍ରଧାନମନ୍ତ୍ରୀ ଶେଖ ଅହମ୍ମଦ ଅଲ ଅବଦୁଲ୍ଲା ଅଲ ଅହମ୍ମଦ ଅଲ- ସବା ପ୍ରଧାମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ବିଦାୟ ଦୋବକୁ ଆସିଥିଲେ । ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରତିନିଧି ସ୍ତରୀୟ ଆଲୋଚନାରେ ଦୁଇ ପ୍ରଧାନମନ୍ତ୍ରୀ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ଆଲୋଚନା କରିଥିଲେ ।
ଏହା ଦ୍ୱାରା ପ୍ରତିରକ୍ଷା ଉପକରଣ ଯୋଗାଣ, ଯୁଗ୍ମ ଅଭ୍ୟାସ, ପ୍ରଶିକ୍ଷଣ, କର୍ମଚାରୀ ଓ ବିଶେଷଜ୍ଞଙ୍କ ସେବା ର ଆଦାନ ପ୍ରଦାନ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ମିଳିବ ।କ୍ରୀଡ଼ା, ସଂସ୍କୃତି ଏବଂ ସୌର ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଅନ୍ୟାନ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ବୈଠକରେ ଭାରତୀୟ ଉପସାଗରୀୟ ସହଯୋଗ ପରିଷଦ (ଜିସିସି)ର ଅଧ୍ୟକ୍ଷତା ମାଧ୍ୟମରେ ପ୍ରଭାବଶାଳୀ ଗୋଷ୍ଠୀ ସହିତ ସହଯୋଗକୁ ତୀବ୍ର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଇଟି, ଫାର୍ମାସ୍ୟୁଟିକାଲ୍ସ, ଫିନଟେକ୍, ଭିତ୍ତିଭୂମି ଏବଂ ନିରାପତ୍ତା ଉପରେ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୁଏତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଉପସାଗରୀୟ ଦେଶ ଭାରତର ଅନ୍ୟତମ ଶୀର୍ଷ ବାଣିଜ୍ୟ ସହଯୋଗୀ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦.୪୭ ବିଲିୟନ ଡଲାର ଥିଲା ।
ଭାରତର ଷଷ୍ଠ ବୃହତ୍ତମ ଅଶୋଧିତ ତୈଳ ଯୋଗାଣକାରୀ ଦେଶ କୁଏତ ଦେଶର ଶକ୍ତି ଆବଶ୍ୟକତାର ୩ ପ୍ରତିଶତ ପୂରଣ କରିଥାଏ । କୁଏତକୁ ଭାରତର ରପ୍ତାନି ପ୍ରଥମ ଥର ପାଇଁ ୨ ବିଲିୟନ ଡଲାର ଛୁଇଁଥିବା ବେଳେ ଭାରତରେ କୁଏତ ନିବେଶ ପ୍ରାଧିକରଣର ନିବେଶ ୧୦ ବିଲିୟନ ଡଲାର ଅତିକ୍ରମ କରିଛି । ଭାରତୀୟ ସମ୍ପ୍ରଦାୟ କୁଏତର ସବୁଠାରୁ ବଡ଼ ପ୍ରବାସୀ ସମ୍ପ୍ରଦାୟ ।