ହାଇଦ୍ରାବାଦ: ଗତ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ସିନେମା ହଲ୍ରେ ଦଳାଚକଟା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ କିଛି ସଂଗଠନ ବିରୋଧ କରୁଛନ୍ତି । ସେମାନେ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କହୁଛନ୍ତି ।
ଅଲ୍ଲୁ ଅର୍ଜୁନ ନିକଟରେ ମୁକ୍ତିଲାଭ କରିଥିବା ତାଙ୍କର ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ପାଇଁ ଉକ୍ତ ହଲ୍କୁ ଆସିଥିବା ବେଳେ ଦଳାଚକଟା ହୋଇଥିଲ। ତେଲୁଗୁ ସୁପର୍ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ବାସଭବନରେ ରବିବାର ଓସ୍ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି।
ଏହି ଘଟଣାରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟର ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି)ର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଜୁବିଲି ହିଲ୍ସ ଥାନାକୁ ନିଆଯାଇଥିଲା।
ଓସ୍ମାନିଆ ବିଶ୍ୱବିଦ୍ୟାଳୟ ଜେଏସିର ଏକ ଗୋଷ୍ଠୀ ଆଜି ଅପରାହ୍ନରେ ଅଭିନେତାଙ୍କ ଘରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ ଏବଂ ଭଙ୍ଗାରୁଜା ଆରମ୍ଭ କରିଥିଲେ। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଏକ ଫିଲ୍ମ ପ୍ରିମିୟରରେ ଦଳାଚକଟାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟା ମହିଳାଙ୍କ ପରିବାରକୁ ସେମାନେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ।