ଆଜିଠୁ ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ସେଠାରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ ମିଳିଛି । ଅନେକ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ କୁଏତ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ। କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠାରୁ ବଡ଼ ପ୍ରବାସୀ ସମୁଦାୟ ହୋଇଥିବାରୁ ଏଠାରେ ମୋଦି କଣ କହୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବାରୁ ସେଠାକାର ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଛନ୍ତି।
ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ପିଏମଓ କହିଛି । କୁଏତରେ ପହଁଚିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦି ଗଲ୍ଫ କପ୍ ଫୁଟବଲର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ କୁଏତର ଅମିର ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ବୈଠକ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
କୁଏତର ଆମୀରଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ଉପରେ ମଧ୍ୟ ଆଲୋଚନା କରାଯିବ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।