ଅଷ୍ଟାଦଶ ଲୋକସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି । ନଭେମ୍ବର 25 ତାରିଖରୁ ଅଧିବେସନ ଆରମ୍ଭ ହୋଇଥିବା ବେଳେ ସମସଗ୍ର ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଓ ଅଶାନ୍ତ ପରିବେଶ ଦେଖିବାକୁ ମିଳିଥିଲା । ସମୁଦାୟ 20 ଟି କାର୍ଯ୍ୟ ଦିବସରେ ଉଭୟ ଗୃହ ପ୍ରାୟ 105 ଘଣ୍ଟା ଧରି ଚାଲିଥିଲା । ଅଧିବେସନ ସମୟରେ ଲୋକସଭାର ଉପାଦକତା 54% ଥିବା ବେଳେ ରାଜ୍ୟସଭାରେ ଉପାଦକତା 40% ଥିଲା । ବାରମ୍ବାର ମୁଲତବୀ ଯୋଗୁଁ ଲୋକସଭାର 65 ଘଣ୍ଟା ବରବାଦ ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି । ରାଜ୍ୟସଭା ଏହାର ନିର୍ଦ୍ଦାରିତ କାର୍ଯ୍ୟ ସମୟର ମାତ୍ର 40 ପ୍ରତିଶତ କାର୍ଯ୍ୟକ୍ଷମ ଥିବାରୁ ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିକୁ ଉଦେବଗ ପ୍ରକାଶ କରିଛନ୍ତି । ବିରୋଧୀ ଦଳମାନେ ସଂସଦ ଅଚଳ କରିବା ବଦଳରେ ନିର୍ଦ୍ଦାରିତ ନିୟମ ଅନୁଯାୟୀ ଦାବି ଉପସ୍ଥାପନ କରିବା ଉଚିତ ବୋଲି ସେ କହିଛନ୍ତି। ଆଦାନୀ ପ୍ରସଙ୍ଗ ନେଇ ହଙ୍ଗାମା ସହ ଅଧିବେଶନ ଆରମ୍ଭ ହୋଇଥିଲା।
ଏହାପରେ ବିରୋଧୀ ଦଳ ସାଂସଦମାନେ ମଣିପୁର ଓ ଚାଷୀଙ୍କ ପ୍ରସଙ୍ଗ ଉଠାଇଥିଲେ। ଅଧିବେଶନ ଶେଷ ବେଳକୁ ଆମ୍ବେଦକର ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଡିସେମ୍ବର ୧୯ ତାରିଖରେ ଏହି ହଟ୍ଟଗୋଳ ସଂଘର୍ଷର ରୂପ ନେଇଥିଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି ଏବଂ ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦାୟୀ କରାଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଲିସରେ ଏତଲା ରୁଜୁ ହୋଇଛି। ରାହୁଲ ସଂସଦ ପରିସରରେ ବରିଷ୍ଠ ବିଜେପି ସାଂସଦଙ୍କ ପ୍ରତି ଦେଖାଇଥିବା ‘ଗୁଣ୍ଡାଗିରି’ ଅତ୍ୟନ୍ତ ଦୁଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବିଜେପି ମିଥ୍ୟା ଏଫଆଇଆର୍ ଦେଇଛି ଏବଂ ମୋ ଭାଇ (ରାହୁଲ) କାହାକୁ ଠେଲିନାହାନ୍ତି। ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ଧ୍ୟାନ ହଟାଇବା ପାଇଁ ଏଭଳି ସ୍ଥିତି ସୃଷ୍ଟି କରାଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି। ଆଜି ଲୋକସଭାରେ ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୁଲତବୀ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଉପସ୍ଥିତ ଥିଲେ।