ଗତକାଲି ସଂସଦ ଭବନରେ ଯାହା ଘଟିଲା ତାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି । ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ ବିଜେପି ନେତାମାନେ ନିନ୍ଦା କରିଛନ୍ତି ।
ବିରୋଧୀ ଦଳ ନେତାଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛି ବିଜେପି । ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ସାଂସଦମାନେ ପ୍ରତିବାଦ ଚଳାଇଥିବା ବେଳେ ବିଜେପି ସାଂସଦମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ । ଆଉ ଏହି ସମୟରେ ହୋଇଥିଲା ଠେଲାପେଲା ।
କଂଗ୍ରେସ ସାଂସଦମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ସଂସଦ ଭବନ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ସଂସଦର ମୁଖ୍ୟ ପ୍ରବେଶ ପଥ ମକର ଦ୍ବାର ନିକଟରେ ପୂର୍ବରୁ ସରକାରୀ ଦଳର ସାଂସଦମାନେ ପ୍ରତିବାଦ କରୁଥିଲେ। ଏହାକୁ ନେଇ ଦୁଇ ପକ୍ଷ ଭିତରେ ଧସ୍ତାଧସ୍ତି ହୋଇଥିଲା ।
ସଂସଦ ଭିତରକୁ ପ୍ରବେଶ କରିବା ସମୟରେ ସରକାରୀ ସାଂସଦ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଧକ୍କା ଦେଇଛନ୍ତି ବୋଲି ସରକାରୀ ଦଳର ସାଂସଦମାନେ ଅଭିଯୋଗ କରିଥିଲେ କାରଣ ଏହି ଠେଲାପେଲାରେ ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ମୁଣ୍ଡ ଫାଟିଯାଇଛି ।
ଏଥିରେ ବିଜେପିର ଦୁଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହେବାକୁ ନେଇ ବିଜେପି କଂଗ୍ରେସ ଏବଂ ରାହୁଲଙ୍କ ଉପରେ ବର୍ଷିଛି । ଉଭୟଙ୍କ ମୁଣ୍ଡ ଏବଂ ଅଣ୍ଟାରେ ଆଘାତ ଲାଗିଛି। ଉଭୟ ସାଂସଦଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ହସ୍ପିଟାଲରେ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଆହତ ସାଂସଦଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସେମାନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଉଭୟ ସାଂସଦଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି।
ରାହୁଲ ଗାନ୍ଧୀଙ୍କ ସହ ଧସ୍ତାଧସ୍ତି ବେଳେ ୨ ସାଂସଦ ଆହତ ହେବାପରେ ରାଜନୀତି ସଂସଦରୁ ଯାଇ ଥାନାରେ ପହଞ୍ଚିଛି। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ ପ୍ରମୁଖ ସଂସଦ ମାର୍ଗ ଥାନାରେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଏତଲା ଦେଇଛନ୍ତି।
ରାହୁଲଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ଅଭିଯୋଗ କରିଛନ୍ତି। ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ରେ ଅଭିଯୋଗ କରାଯାଇଛି। ଫାଙ୍ଗନନ କୋନୟାକ ମଧ୍ୟ ରାହୁଲଙ୍କ ବିରୋଧରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲ ତାଙ୍କ ଏତେ ନିକଟକୁ ଚାଲି ଆସିଥିଲେ ଯେ ସେ ଅସହଜ ମନେ କରିଥିବା କହିଛନ୍ତି। ତାଙ୍କ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶକ୍ତ ଆଘାତ ଦେଇଛନ୍ତି ବୋଲି ସେ ଉଳ୍ଲେଖ କରିଛନ୍ତି।
ପ୍ରତାପ ଷଡ଼ଙ୍ଗୀଙ୍କୁ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡ଼ିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଉଭୟଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଡାକ୍ତରଖାନାରେ ଦୁଇ କିମ୍ବା ଅଧିକ ଦିନ ରହିବେ ବୋଲି ରାଜନାଥ କହିଛନ୍ତି।
ରାହୁଲଙ୍କ ବିରୋଧରେ ବିଜେପିର ଏତଲା ପରେ କଂଗ୍ରେସର କେତେକ ସାଂସଦ ସଂସଦ ମାର୍ଗ ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଛନ୍ତି। ୮୪ ବର୍ଷୀୟ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଠେଲି ଦେବା ସହିତ ତାଙ୍କୁ ଖରାପ ବ୍ୟବହାର କରାଯାଇଛି ବୋଲି କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି।