ଉଭୟ ବିଜେପି ଓ କଂଗ୍ରେସ ଲଢ଼େଇ ଜୋରଦାର ହୋଇଛି । ଥାନାରେ ପହଁଚିଛି କନ୍ଦଳ । କିଏ କାହାକୁ ମାରିଛି ତାହା ହେବ ତଦନ୍ତ । ଦଳର ସାଂସଦ ପରସ୍ପର ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏସବୁ ଏବେ ସାରା ଦେଶରେ ଚର୍ଚାର ବିଷୟ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ସେମାନେ ଦିଲ୍ଲୀ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି।
ବିଜେପିର ଅଭିଯୋଗ ହେଲା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜେ ବିଜେପି ସାଂସଦଙ୍କୁ ଆକ୍ରମଣ କରିବା ସହ ନିଜ ଦଳର ସାଂସଦଙ୍କୁ ମଧ୍ୟ ହିଂସା କରିବାକୁ ଉସୁକାଇଥିବା ନେଇ ସଂସଦ ମାର୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଭାରତ ନ୍ୟାୟ ସଂହିତାର ଧାରା ୧୦୯ (ହତ୍ୟା ଉଦ୍ୟମ) ସମେତ ୧୧୫, ୧୧୭, ୧୨୫, ୧୩୧ ଓ ୩୫୧ ଭଳି ଧାରା ଅଧିନରେ ଆମେ ଏତଲା ଦେଇଛୁ। ଆମେ ନ୍ୟାୟ ଦାବି କରୁଛୁ ।
ବିଜେପି ସାଂସଦମାନଙ୍କ ଆନ୍ଦୋଳନ ସମୟରେ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଥାନାରେ ମାମଲା ହୋଇଛି ।
ବିଜେପିର ଅଭିଯୋଗ ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟତୀତ ଅନ୍ୟଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେମାନଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିବା କୁହାଯାଉଛି।
ଅନ୍ୟପଟେ କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧି ଦଳ ସେହି ସଂସଦ ମାର୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମସ୍ତ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।