ଆଜି ସଂସଦ ପାହାଚରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଠିଆ ହୋଇଥିବା ବେଳେ ତାଙ୍କୁ ରାହୁଲ ଗାନ୍ଧୀ ଠେଲି ପକାଇଦେଇଥିବା ଅଭିଯୋଗ ହୋଇଛି । ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଚାଲିଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ହୋଇଥିଲା ଠେଲାପେଲା। ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲିଥିଲେ । ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସାଂସଦ ଷଡଙ୍ଗୀ କହିଛନ୍ତି, ମୁଁ ଶିଡ଼ିରେ ଛିଡ଼ା ହୋଇଥିଲି। ଉକ୍ତ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ। ଉକ୍ତ ସାଂସଦଜଣକ ମୋ’ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଯାଇଥିଲି।
ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଜେପିର ବରିଷ୍ଠ ନେତାମାନେ ହସ୍ପିଟାଲ ଯାଇ ଉଭୟଙ୍କ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ପ୍ରତାନ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଛିଝନ୍ତି।ସେପଟେ ଏହି ଘଟଣା ପରେ ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି।
ବିଜେପି ନେତା ଶିବରାଜ ସିଂହ ଚୌହାନ ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ସମସ୍ତ ମର୍ଯ୍ୟାଦା ଉଲ୍ଲଙ୍ଘନ କରିଛନ୍ତି । ରାହୁଲ ଗାନ୍ଧି ଓ କଂଗ୍ରେସ ଯେଉଁ ଦାଦାଗିରି କରିଛନ୍ତି ତାହାର ଦ୍ୱିତୀୟ କୌଣସି ଉଦାହାରଣ ମିଳିବ ନାହିଁ।
ସେ କହିଛନ୍ତି ସେ ଏବେ ଏଭଳି ଦାଦାଗିରି କରିବେ। ଭାରତର ସାଂସ୍କୃତିକ ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ଆଚରଣ ଦେଖିବାକୁ ମିଳି ନାହିଁ। ସେମାନଙ୍କୁ ଏକ ସ୍କୁଲରେ ତାଲିମ ଦିଆଯିବା ଉଚିତ୍। ଗଣତନ୍ତ୍ରରେ କିପରି କାମ କରିବେ ତାହା ସେମାନେ ଶିଖିବେ। ଏହି ପ୍ରକାରର ଆଚରଣକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନିନ୍ଦା କରିଛନ୍ତି। ସଂସଦ କାହାର ବ୍ୟକ୍ତିଗତ ସ୍ଥାନ ନୁହେଁ, କି ଏହା କୁସ୍ତି ଆଖଡ଼ା ନୁହେଁ। ବରିଷ୍ଠ ସାଂସଦଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟ ଓ ନିନ୍ଦାଜନକ। ନିଜ ନିଜ ମୁଦ୍ଦା ନେଇ ସାଂସଦ ଆସନ୍ତି, ବିପକ୍ଷଙ୍କୁ ବିରୋଧ ମଧ୍ୟ କରନ୍ତି। କାହାକୁ ଶାରୀରିକ ଆଘାତ ଦେବା ଠିକ୍ ନୁହେଁ। କଥାରେ କହିପାରିଥାନ୍ତେ, କେଉଁ ଆଇନ ରାହୁଲଙ୍କୁ ଧକ୍କା ମାରିବାକୁ କ୍ଷମତା ଦେଲା ରିଜିଜୁ ପ୍ରଶ୍ନ କରିଛନ୍ତି।
ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସଂସଦ ପରିସରରେ ଠେଲାପେଲା ଘଟଣାକୁ ନିନ୍ଦା କରିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏହାକୁ ଦାୟିତ୍ୱହୀନତା ଓ ଅହଂକାର କାର୍ଯ୍ୟ ବୋଲି କହିଛନ୍ତି। ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଏପରି କାର୍ଯ୍ୟ ଚିନ୍ତାଜନକ। ଗଣତନ୍ତ୍ରରେ ଏପରି କାର୍ଯ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।