ବିଜେପି ସରକାର ଆସିବା ପରେ ରାଜ୍ୟରେ ଅନେକ ଯୋଜନାର ନାମ ପରିବର୍ତ୍ତନ ହୋଇଛି । ଏବେ କିଛି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ଲାଗୁ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଜିଜେଏୱାଇ-ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ପରେ ଦେଶର ୨୭ହଜାର ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଏଥିପାଇଁ ସାଢ଼େ ୩କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ।
ଏସବୁର ଅନୁଧ୍ୟାନ ପାଇଁ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନ୍ଏଚ୍ଏ)ଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୩ ଜଣିଆ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଅନେକ ଥର କହିଛନ୍ତି । ସରକାର ପରିବର୍ତ୍ତନ ହେଲେ ଏହି ଯୋଜନା ଲାଗୁ କରିବାକୁ ବିଜେପିର ବରିଷ୍ଠ ନେତାମାନେ କହୁଥିଲେ । ଏବେ ତାହା ଲାଗୁ ହେବାକୁ ଯାଉଛି ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ମଧ୍ୟ ଲୋକମାନଙ୍କୁ ଚିକିତ୍ସା ସୁବିଧା ମିଳୁଛି। ତେଣୁ ଏହି ଦୁଇ ଯୋଜନାର ସୁଫଳ କିଭଳି ରାଜ୍ୟବାସୀ ପାଇବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଯୋଜନାକୁ କିଭଳି ଏକତ୍ର କାର୍ଯ୍ୟକାରୀ କରାଯିବ ତାହା ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ଦୁଇ ଯୋଜନା କାର୍ଯ୍ୟକାରୀ ହେଲେ କେଉଁ କେଉଁ ସମସ୍ୟା ସୃଷ୍ଟି ହେବ ତାହା ଉପରେ ଅଧିକାରୀମାନେ ବିଚାରବିମର୍ଶ ଚଳାଇଛନ୍ତି।