କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବ୍ୟାଗକୁ ନେଇ ଏବେ ଚାଲିଛି ଚର୍ଚା । ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଚର୍ଚା ଥମି ନଥିବା ବେଳେ ଏବେ ବ୍ୟାଗରେ ବାଂଲାଦେଶରେ ହିନ୍ଦୁ ଇସାଇ ଲେଖା ଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିବାରୁ ବିଜେପି ଏହାକୁ କଡ଼ା ସମାଲୋଚନା କରିଥିଲା। ଏବେ ଏହି ବିବାଦକୁ ସେ ଖାତିର କରୁନଥିବା କହିଛନ୍ତି ପ୍ରିୟଙ୍କା ।
ଆଜି ପ୍ରିୟଙ୍କା ବ୍ୟାଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ଲୋଗାନ ରହିଛି। ଏହାକୁ ଧରି କଂଗ୍ରେସ ସାଂସଦଙ୍କ ସହ ପ୍ରିୟଙ୍କା ସଂସଦରେ ପହଞ୍ଚିବା ସହ ଗତକାଲି ପାଲେଷ୍ଟାଇନ ବ୍ୟାଗ ଧରିବା ପାଇଁ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଗଲା ବୋଲି କହିଛନ୍ତି ।
ପ୍ରିୟଙ୍କା ଧରିଥିବା ବ୍ୟାଗରେ ଲେଖାଯାଇଛି ଯେ “ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିୟାନଙ୍କ ସହ ଆମେ ଛିଡ଼ା ହୋଇଛୁ।” ବାଂଲାଦେଶରୁ ଶେଖ ହସିନା ବିତାଡ଼ିତ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପ୍ରିୟଙ୍କା ଏପରି ବ୍ୟାଗ ଧରି ସଂସଦରେ ଆଜି ପହଞ୍ଚିଥିଲେ।
ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟାଗ ଧରିଥିବାରୁ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମାନ ବ୍ୟାଗ ଧରି ସଂସଦ ବାହାରେ ବିକ୍ଷୋଭ କରିଛନ୍ତି। ଗତକାଲି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା ।
ସୋମବାର ଲୋକସଭାର ଶୂନ୍ୟକାଳରେ ନିଜର ମତ ରଖୁଥିବା ବେଳେ ପ୍ରିୟଙ୍କା ଗାନ୍ଧି ବାଂଲାଦେଶୀ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସରକାର ଏହି ପ୍ରସଙ୍ଗ କୂଟନୀତିକ ସ୍ତରରେ ଢାକା ସହ ଆଲୋଚନା କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ।