ସମ୍ବିଧାନକୁ ନେଇ ଲୋକ ସଭା ପରେ ରାଜ୍ୟସଭାରେ ଆଲୋଚନା ଚାଲିଛି । ସମ୍ବିଧାନକୁ ୭୫ ବର୍ଷ ପୂରଣ ଉପଲକ୍ଷେ ଏହାର ଗୌରବମୟ ଯାତ୍ରା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବକ୍ତବ୍ୟ ରଖିଛନ୍ତି ।
ତେବେ ତାଙ୍କ ବକ୍ତବ୍ୟରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ପାଇଁ ସମ୍ବିଧାନରେ ଅନେକ ଅନାବଶ୍ୟକ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମେତ କଂଗ୍ରେସର ପୂର୍ବତନ ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୀତାରମଣ।
ସୀତାରମଣ ୧୯୭୫ର ୩୯ତମ ସମ୍ବିଧାନ ସଂଶୋଧନକୁ ସମାଲୋଚନା କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ଓ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ନ୍ୟାୟିକ ଯାଞ୍ଚରୁ ରକ୍ଷା କରିଥିଲା।
୧୯୭୫ରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯିବାକୁ ସେ ସମାଲୋଚନା କରିବା ସହ ସେହି ସମୟରେ କରାଯାଇଥିବା ସାମ୍ବିଧାନିକ ସଂଶୋଧନକୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପରିବର୍ତ୍ତେ କ୍ଷମତାକୁ ସୁଦୃଢ଼ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଥିଲେ।
ସମ୍ବିଧାନକୁ ଦବଳାଇବା ନେଇ କଂଗ୍ରେସ ଓ ଗାନ୍ଧୀ ପରିବାର ଅନେକ ଭୁଲ ପଦକ୍ଷେପ ନେଇଥିବାରୁ ସେ ଟାର୍ଗେଟ୍ କରିଥିଲେ। ସେମାନେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୁହେଁ ବରଂ କ୍ଷମତା ଉପରେ ନିଜର ଦଖଲ ରକ୍ଷା ପାଇଁ ଏଥିରେ ସଂଶୋଧନ କରିଛନ୍ତି ବୋଲି ସେ ଯୁକ୍ତି ରଖିଥିଲେ।
ଅର୍ଥମନ୍ତ୍ରୀ ବିଶେଷ କରି ୧୯୫୧ ମସିହାର ପ୍ରଥମ ସମ୍ବିଧାନ ସଂଶୋଧନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ପ୍ରଥମ ସମ୍ବିଧାନ ସଂଶୋଧନ ନିର୍ବାଚିତ ସରକାର ପରିବର୍ତ୍ତେ ଅନ୍ତରୀଣ ସରକାର ପାରିତ କରିଥିଲେ।
ଏହି ସଂଶୋଧନରେ ଧାରା ୧୯(୨) ଅନୁଯାୟୀ ବାକ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯେଉଁଥିରେ ଜନଶୃଙ୍ଖଳା, ବିଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ଅପରାଧକୁ ପ୍ରୋତ୍ସାହିତ କରିବା ଭଳି କାରଣ ଦର୍ଶାଯାଇଥିଲା।