ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ । ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ । ମଧ୍ୟାହ୍ନରେ ସଙ୍ଗମ ସାଇଟରେ ମା’ ଗଙ୍ଗାଙ୍କ ପ୍ରାର୍ଥନା ଓ ଦର୍ଶନ କରିବେ । ପରେ ଅକ୍ଷୟବନ ବୃକ୍ଷ ସ୍ଥାନରେ ପୂଜା କରିବେ ପ୍ରଧାନମନ୍ତ୍ରୀ ।
ପରେ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିବା କାର୍ଯ୍ୟକ୍ରମ ରହିଛି । ଦିନ ସାଢେ ଗୋଟାଏରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ପ୍ରୟାଗରାଜରେ ପ୍ରାୟ ୫ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଯେଉଁଥିରେ ରହିଛି ବିଭିନ୍ନ ରେଳ, ସଡକ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ । ଏଥିସହିତ ଭରଦ୍ୱାଜ ଆଶ୍ରମ କରିଡର, ଶ୍ରୀଙ୍ଗଭରପୁର ଧାମ କରିଡର, ଅକ୍ଷୟଭଟ୍ଟ କରିଡର, ହନୁମାନ ମନ୍ଦିର କରିଡର ଆଦିର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କୁମ୍ଭ ‘ସାହାୟକ’ ଚାଟବଟ୍ ମଧ୍ୟ ଲଞ୍ଚ କରିବେ । ଯାହାକି ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ । ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏଁ ମହାକୁମ୍ଭ ମେଳା ଚାଲିବ । ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ ଆଶା କରାଯାଉଛି । ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା ।