ଭାରତରେ ଗୁଗୁଲମ୍ୟାପ ଆସିବା ପରେ ଲୋକଙ୍କୁ ଆଉ ଅଜଣା ଜାଗାକୁ ଯିବାପାଇଁ ସେତେଟା ଚ୍ୟାଲେଞ୍ଜିଂ ଲାଗିଲାନାହିଁ । ଗାଡ଼ି ଉଠାଅ ମୋବାଇଲରେ ଯେଉଁ ସ୍ଥାନକୁ ଯିବେ ତାର ନାଁ ଓ ଲୋକେସନ ଦେଇଦିଅ ବାସ ଗୁଗୁଲମ୍ୟାପ ଆପଣଙ୍କୁ ବାଟ କଢାଇନେବ । ମୋଟାମୋଟି ଭାବେ କହିବାକୁ ଗଲେ ଅନ୍ଧର ଲଉଡ଼ି ସାଜିଲା ଗୁଗୁଲ ମ୍ୟାପ । ପୂର୍ବରୁ କେଉଁ ସ୍ଥାନକୁ ଗଲେ ଆଖପାଖରେ ଥିବା ଲୋକଙ୍କୁ ପଚାରିଦେଲେ ବାଟବଣା ହେବାର ଭୟ ରହୁନଥିଲା । କିନ୍ତୁ ରାତ୍ରୀ ସମୟ ପାଇଁ ଗୁଗୁଲ ମ୍ୟାପର ଅବଦାନକୁ ବି ଅଣଦେଖା କରାଯାଇନପାରେ । ପାଖାପାଖି ସ୍ଥାନ ହେଉ କିମ୍ବା କୌଣସି ଦୂର ଜାଗା ଗୁଗୁଲ ମ୍ୟାପ ହିଁ ସାଜିଲା ଭରସା । କିନ୍ତୁ ଏହି ଡ଼ିଜିଟାଲ ମ୍ୟାପ ଉପରେ ଆଖି ବନ୍ଦ କରି ଭରସା କରିବା ବି ବେଳେବେଳେ ଭାରି ପଡ଼ୁଛି ।
କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ବରେଲୀରେ ଏକ ବଡ଼ ଅଘଟଣ ଘଟିଥିଲା । ଯାହା ସାରା ଦେଶକୁ ଭାବିବା ପାଇଁ ବାଧ୍ୟ କରିଦେଲା । ଗୁଗୁଲ୍ ମ୍ୟାପକୁ ଫଲୋ କରି ନିର୍ମାଣଧୀନ ବ୍ରିଜ୍ ଉପରେ କାର୍ ନେଇ ଚଢିଯାଇଥିଲେ ୩ ଜଣ ଯୁବକ । ବ୍ରିଜ୍ କାମ ଅଧା ହୋଇଥିବାରୁ ଗାଡ଼ି ସିଧା ତଳକୁ ଖସିଥିଲା ଆଉ ୩ ଜଣ ଯୁବକଙ୍କ ଅକାଳରେ ଜୀବନ ଚାଲିଗଲା । ଅଘଟଣର ଦୃଶ୍ୟ ଏତେ ଭୟାବହ ଥିଲା ଯେ ଲୋକଙ୍କ ମନରେ ଗୁଗୁଲ୍ ମ୍ୟାପକୁ ନେଇ ସନ୍ଦେହ ଜାତ ହେଲା ।
ଏହାର ମାତ୍ର କିଛି ଦିନ ପରେ ସମାନଭାବେ ବରେଲୀରେ ଆଇଆଇଟି ଦିଲ୍ଲୀର ୩ ଜଣ ଛାତ୍ର ଗୁଗୁଲ ମ୍ୟାପକୁ ଫଲୋ କରି ସିଧା ଯାଇ ନଦୀରେ ପଶିଲେ । ସୌଭାଗ୍ୟବଶତଃ ନଦୀରେ ପାଣି କମ୍ ଥିବାରୁ ୩ ଜଣଙ୍କୁ କେବଳ ସାମାନ୍ୟ ମାତ୍ରାରେ ଆଘାତ ହୋଇଥିଲା । କିନ୍ତୁ ସେତେବେଳେ ବି ଗୁଗୁଲ୍ ମ୍ୟାପର ନାଁ ଚର୍ଚ୍ଚାରେ ଆସିଲା ।
ଠିକ୍ ସେହିଭଳି ବିହାରର ଏକ ପରିବାର ଗୋଆ ଭ୍ରମଣରେ ଯାଉଥିବାବେଳେ ଗୁଗୁଲ୍ ମ୍ୟାପର ସାହାରା ନେଇ ଫସିଗଲେ । ଗୁଗୁଲ୍ ମ୍ୟାପକୁ ଫଲୋ କରିବା ମହଙ୍ଗା ପଡ଼ିଲା , ରାସ୍ତା ଖୋଜୁ ଖୋଜୁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ ପରିବାର । ପରିସ୍ଥିତି ଏମିତି ହେଲା ଯେ ନା ନେଟୱର୍କ ଲାଗିଲା , ନା ଗୁଗୁଲ୍ ମ୍ୟାପ୍ ସାଥ୍ ଦେଲା । ବାଧ୍ୟ ହୋଇ ପରିବାର ସାରା ରାତି ଜଙ୍ଗଲ ଭିତରେ ରହିଲେ ଏବଂ କାର୍ ଭିତରେ ଶୋଇଲେ । ସକାଳୁ ନେଟୱର୍କ ପାଇଁ ପରିବାରକୁ ୪ କି.ମି ପର୍ଯ୍ୟନ୍ତ ଚାଲିବାକୁ ପଡ଼ିଲା । ନେଟୱର୍କ ଆସିବାରୁ ତୁରନ୍ତ ସେମାନେ ୧୧୨ ହେଲ୍ପଲାଇନକୁ ଡାଏଲ୍ କରି ସାହାଯ୍ୟ ମାଗିଲେ ଏବଂ ପୁଲିସ୍ ପରିବାରକୁ ଜଙ୍ଗଲରୁ ବାହାର କଲା ।
ଏ ତ ରହିଲା ଦେଶର କଥା । ଓଡ଼ିଶାରେ ମଧ୍ୟ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଘାଟିରେ ଟ୍ରକ୍ ଫସିଥିଲା। ବ୍ରହ୍ମପୁରରୁ – ରାୟପୁରକୁ ଯାଉଥିବା ଗୋଟିଏ ଟ୍ରକ୍ ଘାଟିରେ ଫସିଗଲା କେବଳ ଗୁଗୁଲ୍ ମ୍ୟାପ୍ ପାଇଁ । ଟ୍ରକ୍ ଯୋଗୁଁ ଦୁଇ ପାର୍ଶ୍ବରେ ଥିବା ଯାନବାହନ ମଧ୍ୟ ନାହିନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ମାସ ତଳେ ଢେଙ୍କାନାଳର ସପ୍ତଶଯ୍ୟାରେ ୫ ଜଣ ସାଙ୍ଗ ନିଖୋଜ ହୋଇଥିଲେ ଏବଂ ସାରା ରାତି ତାଙ୍କର ପାହାଡ଼ ଉପରେ ହିଁ ବିତିଥିଲା । ଦୀର୍ଘ ସମୟ ଧରି ଅପେକ୍ଷା ପରେ ପାହାଡ଼ ଉପରୁ ଉଦ୍ଧାର ହୋଇଥିଲେ ୫ ଛାତ୍ର । ଉଦ୍ଧାର ହେବା ପରେ ଛାତ୍ରମାନେ କହିଥିଲେ ଗୁଗୁଲ୍ ମ୍ୟାପ୍ କେମିତି ତାଙ୍କୁ କରିଥିଲା ବାଟବଣା ।