ଇଣ୍ଡି ମେଣ୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଆରଜେଡ଼ି ପ୍ରତିଷ୍ଠାତା ତଥା ମେଣ୍ଟର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବ ଆଜି କହିଛନ୍ତି । ଡିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ମେଣ୍ଟର ନତୃତ୍ବ ନେବା ଉଚିତ ଏବଂ କଂଗ୍ରେସ ଏହାକୁ ବିରୋଧ କରିବାର କିଛି ଅର୍ଥ ନାହିଁ । ଆମେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବୁ । ମମତାଙ୍କୁ ନେତୃତ୍ବ ମିଳିବା ଉଚିତ ବୋଲି ଲାଲୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଚଳିତ ମାସ ଆରମ୍ଭରେ ମମତା ଇଣ୍ଡି ମେଣ୍ଟର ନେତୃତ୍ବ ନେବାପାଇଁ ସଙ୍କେତ ଦେଇଥିଲେ ମମତା କହିଥିଲେ ତାଙ୍କୁ ଯଦି ଏଥିପାଇଁ ସୁଯୋଗ ମିଳେ ତେବେ ଚଳିତ ଶୀତ ଅଧିବେଶନ ବେଳେ ଇଣ୍ଡି ମେଣ୍ଟର ନେତୃତ୍ବ ବଦଳିବା ନେଇ ପ୍ରଶ୍ନ ଉଠିବା ସବୁଠାରୁ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ । ସଂସଦରେ ମଧ୍ୟ ବିରୋଧୀ ଦଳର କାର୍ଯ୍ୟକଳାପରେ ତାଳମେଳ ରହୁନାହିଁ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳ ଗୃହରେ ଆଦାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିବାବେଳେ ଟିଏମ୍ସି କହିଥିଲା ଯେ ଏହା ଗୃହକାର୍ଯ୍ୟ ଜାରି ରଖିବାପାଇଁ ଚାହେ। କାରଣ ଗୃହକାର୍ଯ୍ୟ ଚାଲିଲେ ହିଁ ଟିଏମ୍ସି ବିଭିନ୍ନ ପ୍ରସଙ୍ଗ ଉଠାଇ ପାରିବ ବୋଲି କହିଥିଲା।
୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ୯୯ ଲୋକସଭା ଆସନରେ ଜିତି ପ୍ରମୁଖ ବିରୋଧୀ ଦଳ ହୋଇପାରିଛି। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ଦଳକୁ ଯେଉଁ ଝଟ୍କା ଲାଗିଛି ଏଥିଯୋଗୁଁ ବିରୋଧୀ ଶିବିରରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି, ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ଜଣେ ପ୍ରମୁଖ ଅଂଶୀଦାର ହେବା ଉଚିତ। ଏନ୍ସିପି ପ୍ରତିଷ୍ଠାତା ଶରଦ ପାୱାର ମଧ୍ୟ ମମତାଙ୍କୁ ଏଥିପାଇଁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଇଣ୍ଡି ମେଣ୍ଟ ଗତବର୍ଷ ଗଠନ ହୋଇଥିଲା। ସମସ୍ତ ବିରୋଧୀ ଦଳ ଭିନ୍ନ ବିଚାରଧାରାକୁ ଭୁଲି ବିଜେପିକୁ ହରାଇବାପାଇଁ ଏକଜୁଟ୍ ହେବାକୁ ନିଷ୍ପତ୍ତି ନେବାପରେ ଇଣ୍ଡି ମେଣ୍ଟ ଗଠନ ହେଲା।