ଯେତେବେଳେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଖରାପ ସମୟ ଦେଇ ଗତି କରୁଥିଲା । ସେଭଳି ଏଗ ଗୁରୁତ୍ବପୂଣ୍ଣ ମୁହୂର୍ତ୍ତରେ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର 25 ତମ ଗଭର୍ଣର ଭାବେ ନିଯୁକ୍ତି ମିଳିଥିଲା । ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଉର୍ଜିତ ପଟେଲ ହଠାତ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଅକଳରେ ପଡ଼ିଥିବା ସରକାର ବିମୁଦ୍ରୀକରଣ ସମୟର ପୋଷ୍ଟର ବଏ ଶକ୍ତିକାନ୍ତଙ୍କ ଉପରେ ଭରସା ପ୍ରକଟ କରିଥିଲେ। ଇତିହାସ ଭଳି ବିଷୟରେ ପାଠପଢ଼ିଥିବାରୁ ତାଙ୍କ ନିଯୁକ୍ତିକୁ ସେହି ସମୟରେ ବେଶ୍ ସମାଲୋଚନା କରାଯାଇଥିଲା। ସରକାରଙ୍କ କଥାରେ ସେ ହଁ ଭରିବାର ଲୋକ ବୋଲି ଚର୍ଚ୍ଚା ହୋଇଥିଲା।
ଯଦି ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଦୁଇଟି ପାଳିର ୬ ବର୍ଷ କାର୍ଯ୍ୟକାଳକୁ ଅନୁଶୀଳନ କରାଯିବ ତେବେ ସେହି ଧାରଣାକୁ ସେ ଭୁଲ ପ୍ରମାଣ କରିଥିବା କୁହାଯାଇପାରିବ। କାରଣ ତାଙ୍କ ସମୟରେ କୋଭିଡ୍ ମହାମାରୀ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଇସ୍ରାଏଲ ହମାସ ଯୁଦ୍ଧ ଭଳି ତିନିଟି ବଡ଼ ଘଟଣା ଘଟିଥିଲା ଯାହା ସମଗ୍ର ବିଶ୍ବରେ ଦରଦାମ୍ ସ୍ଥିତିକୁ ବେଲଗାମ କରିଦେଇଥିଲା। କିନ୍ତୁ ନିଜ ବିଚକ୍ଷଣ ରଣନୀତି ଜରିଆରେ ଶକ୍ତିକାନ୍ତ ଭାରତରେ ଦରଦାମ୍କୁ ନିୟନ୍ତ୍ରଣ କରିବା ଲାଗି ନିଜ ଆଡ଼ୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଡଲାର ତୁଳନାରେ ଟଙ୍କାକୁ ସବଳ ରଖିବା ଲାଗି ମଧ୍ୟ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଦାୟିତ୍ବ ନେବା ପରେ ସେ ସରକାରଙ୍କ ସହ ଥିବା ଖରାପ ସମ୍ପର୍କକୁ ସୁଧାରିଥିଲେ। ବ୍ୟାଙ୍କଗୁଡ଼ିକ ସହ ସମ୍ପର୍କରେ ମଧ୍ୟ ସୁଧାର ଆଣିଥିଲେ। ମୁଦ୍ରାସ୍ଫୀତିକୁ ସେ ଚମତ୍କାର ଢଙ୍ଗରେ ପରିଚାଳନା କରିଥିଲେ। ତାଙ୍କର ଅନ୍ୟତମ ବଡ଼ ଉପଲବ୍ଧି ହେଉଛି ୟେସ୍ ବ୍ୟାଙ୍କ ଓ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ଉଦ୍ଧାର। କୋଭିଡ୍ ମହାମାରୀ ସମୟରେ ଅର୍ଥନୀତିକୁ ସାହାଯ୍ୟ କରିବା ଲାଗି ସେ ରେପୋ ହାରକୁ ୪ ପ୍ରତିଶତ ଭଳି ନିମ୍ନ ସ୍ତରକୁ ହ୍ରାସ କରିଥିଲେ। କିଛି ମାସ ପରେ ଯୁଦ୍ଧ ପାଇଁ ଦରଦାମ୍ ବଢ଼ିବାରୁ ସେ ତାହାକୁ ୬.୫ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବଢ଼ାଇଥିଲେ। ଦରଦାମ୍ ବିରୋଧ ଲଢ଼େଇର ସେନାପତି ଭାବେ ସେ ଦାୟିତ୍ବ ତୁଲାଇଥିଲେ। କୌଣସି ପରିସ୍ଥିତିରେ ଅସ୍ତ୍ର ନ ଛାଡ଼ିବାକୁ ସେ ଯେଭଳି ସଂକଳ୍ପ କରିଥିଲେ। ଏଭଳିକି କିଛି ଦିନ ତଳେ ନିଜର ଶେଷ ମୁଦ୍ରା ନୀତି ସମୀକ୍ଷା ବେଳେ ସେ ସୁଧ ଅପରିବର୍ତ୍ତିତ ରଖିବା ଭଳି ସାହସିକ ପଦକ୍ଷେପ ନେଇଥିଲେ। କେନ୍ଦ୍ରର ଦୁଇ ବରିଷ୍ଠ ମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ସୁଧ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ସରକାରଙ୍କ ଆଗରେ ଶକ୍ତିକାନ୍ତ ମୁଣ୍ଡ ନୁଆଇଁନଥିଲେ। ଫଳରେ ସରକାରଙ୍କ ସହ ଘନିଷ୍ଠତାରୁ ଆରମ୍ଭ ହୋଇଥିବା ସମ୍ପର୍କ ମତଭେଦରେ ଶେଷ ହୋଇଥିବା ଚର୍ଚ୍ଚା ହେଉଛି।
୧୯୫୭ ଫେବ୍ରୁଆରି ୨୬ରେ ଜନ୍ମଗ୍ରହଣ କରିଥିବା ଶକ୍ତିକାନ୍ତ ଭୁବନେଶ୍ବର, ଦିଲ୍ଲୀ ଓ ବ୍ରିଟେନ୍ରେ ପାଠପଢ଼ିଥିଲେ। ୧୯୮୦ରେ ସେ ତାଲିମନାଡ଼ୁ କ୍ୟାଡର୍ ଆଇଏଏସ୍ ଅଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରି ଅର୍ଥ, ଅର୍ଥନୈତିକ ଓ ରାଜସ୍ବ ସଚିବ ଭଳି ପଦରେ କାମ କରିବାର ସୁଯୋଗ ପାଇଥିଲେ। ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ, ଜି୨୦ ସେର୍ପା ଭାବେ ମଧ୍ୟ ସେ କାମ କରିଥିଲେ। ୨୦୧୬ର ବିମୁଦ୍ରୀକରଣ ଓ ୨୦୧୭ରେ ଲାଗୁ ହୋଇଥିବା ଜିଏସ୍ଟିରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଶକ୍ତିକାନ୍ତଙ୍କୁ ଦୁଇ ଦୁଇ ଥର ଶ୍ରେଷ୍ଠ ଗଭର୍ଣ୍ଣର ଭାବେ ‘ଏ+’ ରେଟିଂ ମିଳିଥିଲା। ସରକାରଙ୍କ ପାଖ ଲୋକ ଭାବେ ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କରେ ଯେଉଁ ଯାତ୍ରା ଆରମ୍ଭ କରିଥିଲେ ଶେଷ ଆଡ଼କୁ ତାହା ମଳିନ ପଡ଼ିଯାଇଥିଲା। ନିଜକୁ ଜଣେ ପ୍ରକୃତ ଗଭର୍ଣ୍ଣର ଭାବେ ସେ ଉପସ୍ଥାପିତ କରିପାରିଥିଲେ। ଡିସେମ୍ବର ୧୦ (ଆସନ୍ତାକାଲି) ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାର ପୂର୍ବଦିନ ପର୍ଯ୍ୟନ୍ତ ତାଙ୍କ ଭବିଷ୍ୟତକୁ ସରକାର ଝୁଲାଇ ରଖିଥିଲେ। ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ମିଳିବ ଓ ଇତିହାସରେ ତାଙ୍କ ନାଁ ଲିପିବଦ୍ଧ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ସମ୍ଭବ ହୋଇନାହିଁ। କିନ୍ତୁ ଦରଦାମ୍ ବିରୋଧ ଲଢ଼େଇର ଜଣେ ବଡ଼ ଯୋଦ୍ଧା ଭାବେ ତାଙ୍କୁ ଦୁନିଆ ମନେ ରଖିବ।