ଗୋଟିଏ ଦିନରେ ଭାରତୀୟ କ୍ରିକେଟକୁ ତିନିଟି ଝଟକା । ଭାରତୀୟ ପୁରୁଷ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡ଼ିଲେଡ଼ ଟେଷ୍ଟକୁ ଲଜ୍ଜାଜନକ ଭାବେ 10 ଓ୍ବିକେଟରେ ହାରିଛି । ଭାରତୀୟ ମହିଳା କ୍ରିକେଟ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ 122 ରନରେ ହାରିଛି । ଆଉ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ 2-0 ରେ ପରାଜିତ ହୋଇଛି । ଅନ୍ୟପଟେ ଭାରତୀୟ 19 ବର୍ଷରୁ କମ କ୍ରିକେଟ ଦଳ ବାଂଲାଦେଶଠାରୁ ଏସିଆ କପ ଫାଇନାଲରେ 59 ରନରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଛି ।
ଏହି ତିନିଟି ପରାଜୟ ଭାରତୀୟ କ୍ରିକେଟର ସ୍ଥିତି ଭିବଷ୍ୟତ ଓ ଦକ୍ଷତା ନେଇ ପ୍ରଶଂସକଙ୍କ ମନରେ ସକ୍ରିୟ ସଂଶୟ ସୃଷ୍ଟି କରିଛି । ଆଡ଼ିଲେଡ଼ରେ ସଂପୂଣ୍ଣ ଆତ୍ମସମର୍ପଣ କରି ଗୋଲାପି ବଲ ଲଢେଇକୁ ଅଢେଇ ଦିନରେ ହାରିବାର ଲଜ୍ଜା ବହନ କରିଛି ରୋହିତ ବାହିନୀ । ପ୍ରଥମ ପାଳିରେ 157 ରନରେ ପଛୁଆ ରହିବା ଏବହ ଦ୍ବିତୀୟରେ ମାତ୍ର ୧୨୮ ରନରେ ଅଧାଦଳ ହରାଇବା ପରେ ଭାରତ ପରାଜୟ ଶନିବାର ହିଁ ନିଶ୍ଚିତ ହୋଇଯାଇଥିଲା। ରବିବାର ମାତ୍ର ଘଣ୍ଟାକ ଭିତରେ ଭାରତର ଅବଶିଷ୍ଟ ୫ ୱିକେଟ୍ ଅକ୍ତିଆର କରି, ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ କଙ୍ଗାରୁ ଦଳ । ଫଳରେ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି।
ସେପଟେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଘରୋଇ ଦଳ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୦-୨ରେ ହାରି ଯାଇଛି। ପ୍ରଥମ ମ୍ୟାଚ୍ ୫ ୱିକେଟରେ ହାରିଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚରେ ୧୨୨ ରନରେ ପରାସ୍ତ ହୋଇଛି। ଅନ୍ୟପଟେ 1୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ବି ଭାରତ ହାରିଛି। ବାଂଲାଦେଶ ଧାର୍ଯ୍ୟ କରିଥିବା ୧୯୯ ରନର ଲକ୍ଷ୍ୟଠାରୁ ବହୁ ପଛରେ ରହି ଭାରତ ୩୨.୨ ଓଭରରେ ମାତ୍ର ୧୩୯ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ବାଂଲାଦେଶ ଟ୍ରଫି ବଜାୟ ରଖିବାକୁ ସକ୍ଷମ ହୋଇଛି।