ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କିଛି ବର୍ଷ ହେଲା ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । ସେ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି।
କେନ୍ଦ୍ର ସରକାର କଣ ଜବାବ ଦେବେ କି ତଦନ୍ତ କରିବେ ତାହା ଜଣାପଡିବ । ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ । ଦିଲ୍ଲୀ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବାଖରୁ ଏବଂ ଜଷ୍ଟିସ ତୁଷାର ରାଓ ଗେଡ଼େଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଉକ୍ତ ପ୍ରସଙ୍ଗରେ ଜବାବ ରଖିବାପାଇଁ କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତାକୁ ନେଇ ବିଜେପି ମଧ୍ୟ ତାଙ୍କୁ କଟାକ୍ଷ କରୁଛି । ଏଭଳି ଏକ ରାଜନୈତିକ ଓ ବିବାଦୀୟ ପ୍ରସଙ୍ଗକୁ ନେଇ ଏବେ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି ।
ଏହି ପ୍ରସଙ୍ଗ 2015 ମସିହାରେ ଉଠାଇଥିଲେ ସୁବ୍ରମଣ୍ୟମ ସ୍ବାମୀ। ରାହୁଲ ଗାନ୍ଧୀଙ୍କ ନାମରେ ଏକ କଂପାନି ବିଦେଶରେ ରହିଛି । ବ୍ରିଟେନରେ ଥିବା ଏହି କଂପାନିର ଟ୍ୟାକ୍ସ ରିଟର୍ଣ୍ଣରେ ରାହୁଲ ଗାନ୍ଧୀଙ୍କ ନାମ ରହିଛି । ଯାହାକୁ ନେଇ ମାମଲା ହୋଇଛି ।
ତାଙ୍କର ଦୈତ ନାଗରିକତା ରହିଥିବାରୁ ସେ ଭାରତର ନାଗରିକ ହୋଇପାରିବେ ନାହିଁ । ଭାରତର ଦୈତ ନାଗରିକ ଥିବା ବ୍ୟକ୍ତି ସାଂସଦ ବା ରାଜନୀତିଜ୍ଞ ହୋଇପାରିବେ ନାହିଁ । ତାଙ୍କୁ ଗୋଟିଏ ଦେଶର ନାଗରିକତା ଛାଡିବାକୁ ପଡ଼ିବ ।
ଭାରତର ସମ୍ବିଧାନ ଅନୁଯାୟୀ, ଦେଶରେ ଦ୍ବୈତ ନାଗରିକତାକୁ ଅନୁମତି ନାହିଁ। ଯଦି କେହି ଅନ୍ୟ କୌଣସି ଦେଶର ନାଗରିକତା ଗ୍ରହଣ କରନ୍ତି, ତାହାହେଲେ ସେହି ବ୍ୟକ୍ତିଙ୍କର ଭାରତୀୟ ନାଗରିକତା ରହିନଥାଏ ।
ରାହୁଲ ଗାନ୍ଧୀ ଏହି ଆଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ପ୍ରମାଣ ଦେଇପାରିନାହାଁନ୍ତି । ଆଦାଲତରେ ଉପସ୍ଥାପିତ ତଥ୍ୟକୁ ବିରୋଧ କରିପାରିନାହାଁନ୍ତି ରାହୁଲ । ତେଣୁ ଏ ପ୍ରସଙ୍ଗ ଏବେ ଗୃହମନ୍ତ୍ରାଳୟ ତଦନ୍ତ ପରେ ସ୍ପଷ୍ଟ ହେବ । ରାହୁଲ ଗାନ୍ଧୀଙ୍କର ଦୁଇଟି ନାଗରିକତା ରହିଛି କି ନାହିଁ ।
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୨୫ ଜାନୁଆରି ୧୩ ତାରିଖରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଭାରତୀୟ ସମ୍ବିଧାନର ଧାରା ୯ର ଉଲ୍ଲଂଘନ କରିଛନ୍ତି ବୋଲି ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି।
ରାହୁଲଙ୍କର ବ୍ରିଟିସ ନାଗରିକତା ରହିଛି । ସେ ନିଜ ଆଡ଼ୁ ବ୍ରିଟିସ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକାଶ କରିଥିବା ରିପୋର୍ଟ ତାଙ୍କ ପାଖରେ ଥିବା ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି।