ଭୁବନେଶ୍ବର ନୂଆ କୋର୍ଟ ପରିସରକୁ ଲୋକାର୍ପଣ କଲେ ରାଷ୍ଟ୍ରପତି । ନବନିର୍ମିତ ଜୁଡିସିଆଲ କୋର୍ଟ ପରିସରରେ ସମସ୍ତ ସୁବିଧା ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂଆ କୋର୍ଟ ପରିସରକୁ ଲୋକାର୍ପଣ କରି ଲୋକଙ୍କୁ ନ୍ୟାୟ ଦେବାପାଇଁ କହିଛନ୍ତି। ସମାରୋହରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ନୂତନ କୋର୍ଟ ବେସମେଣ୍ଟ ଓ ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ୫ ମହଲା କରାଯାଇଛି। ଏହା ସଂପୂର୍ଣ୍ଣଭାବେ ଶୀତତାପ ନିୟନ୍ତ୍ରିତ। କୋର୍ଟ ମଧ୍ୟରେ ମାଗଣା ୱାଇଫାଇର ବ୍ୟବସ୍ଥାକ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ୫ଟି ଗେଟ୍ ରହିଛି। କୋର୍ଟ ମଧ୍ୟରେ ପୋଷ୍ଟ ଅଫିସ୍, ବ୍ୟାଙ୍କ ଓ ଏକ ଡିସ୍ପେନସାରି ରହିଛି।
କୋର୍ଟ ପରିସରରେ ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ୍, ଓକିଲ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରୁମ, ଶିଶୁମାନଙ୍କ ପାଇଁ ବେବି କ୍ରେଚ୍, ଇ ପାଠାଗାର, ସାଧାରଣ ପାଠାଗାର ଓ ଦୁଇଟି ସମ୍ମିଳନୀକକ୍ଷ ରହିଛି।
ଓକିଲମାନଙ୍କ ବସିବା ପାଇଁ ଚେୟାର, ଟେବୁଲ, ଲକର ଆଦିର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ଘାସ ଗାଲିଚା, ଜଳ ଫୁଆର ଆଦିର ବ୍ୟବସ୍ଥା କରାଯାଇଛି।
ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରହିବାର ବ୍ୟବସ୍ଥା କରାଯାଇଛି। ଏହି କୋର୍ଟରେ ସମୁଦାୟ ୫୭ଟି କୋର୍ଟରୁମ ରହିଛି। ୫୭ଟି ବିଚାରପତିଙ୍କ ପାଇଁ ଚାମ୍ବର ରହିଛି। ୪ଟି କରିଡର୍ ରହିଛି। କାର୍ ଓ ବାଇକ୍ ମିଶାଇ ପ୍ରାୟ ୧୦୦୦ ଗାଡ଼ି ରହି ପାରିବା ଭଳି ବେସ୍ମେଣ୍ଟ ପାର୍କିଂ ବ୍ୟବସ୍ଥା ରହିଛି। ବେସ୍ମେଣ୍ଟରେ ବିଚାରପତିଙ୍କ ଲାଗି ୫୦ଟି ଚାରିଚକିଆ ଯାନର ପାର୍କିଂ ସୁବିଧା ରହିବ।
ଏଥିସହ ଏଠାରେ ଏକ ବହୁତଳ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେଉଛି, ଯେଉଁଠାରେ ୪୫୦ଟି ଚାରିଚକିଆ, ୫୫୦ଟି ଦୁଇଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବ। ଏହି କୋର୍ଟରେ ୯ଟି ଲିଫ୍ଟ ରହିଛି। ସେଥିରୁ ୫ଟି ୨୦ ଜଣିଆ ଲିଫ୍ଟ ରହିଛି।ବିଚାରପତିଙ୍କ ପାଇଁ ୪ଟି ଲିଫ୍ଟ ରହିଛି।