ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାର ଚିତ୍ର ସ୍ପଷ୍ଟ ହେବା ପରେ ଦେବେନ୍ଦ୍ର ଫଡ଼ନାଭିସ ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଫଡ଼ନାଭିସ ଚିନ୍ତା ବଢାଇଛନ୍ତି ।
ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି । କିନ୍ତୁ ଗୃହ ମନ୍ତ୍ରଣାଳୟ ଦାବି ଉପରେ ସେ ଏପର୍ଯ୍ୟନ୍ତ ଜିଦ ଧରିଛନ୍ତି । ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କର ଏହି ବିଭାଗ ଥିଲା । ସିନ୍ଦେଙ୍କ ଦାୟିତ୍ବ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ନିକଟରେ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଘୋଷଣା କରାଯାଇଥିଲା । କିନ୍ତୁ ସରକାରରେ ତାଙ୍କର ଭୂମିକା କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଶିବସେନା ଏକ ଚିଠି ଦେଇ ଫଡ଼ନାଭିସ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ କରିଛି ।
ଦୀର୍ଘ ଦିନ ଧରି ଗୃହ ମନ୍ତ୍ରଣାଳୟ ଦାବି ଉପରେ ଏକନାଥ ସିନ୍ଦେ ଜିଦ ଧରିଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ସହିତ ଶିସେନାକୁ 12 ଟି ମନ୍ତ୍ରଣାଳୟ ଦେବାକୁ ସେ ଦାବି କରୁଛନ୍ତି । ଶିବସେନା ନେତାମାନେ କହିଛନ୍ତି ଯେ ସିଏମ ପଦବୀ ପାଇ ନ ଥିବାରୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ହେଉଛି ଏକମାତ୍ର ଦାୟିତ୍ବ ଯାହା ସିନ୍ଦେଙ୍କ ପାଇଁ ଉପଯୁକ୍ତ ହେବ।
ରିପୋର୍ଟରେକୁହାଯାଇଛି, ଯଦି ଫଡନାଭିସ୍ ଗୃହ ମନ୍ତ୍ରଣାଳୟ ଛାଡିବେ ନାହିଁ, ତେବେ ସିନ୍ଦେଙ୍କୁ ସହରୀ ବିକାଶ, ରାଜସ୍ୱ କିମ୍ବା ଶକ୍ତି ପୋର୍ଟଫୋଲିଓ ଦିଆଯାଇପାରେ। ଏହି କାରଣରୁ ସିନ୍ଦେ ଗୃହ ବିଭାଗ ଚାହୁଁଛନ୍ତି।
ଜଣେ ଶିବସେନା ନେତା ଖବରକାଗଜକୁ କହିଛନ୍ତି, ସିନ୍ଦେ ପୂର୍ବରୁ ପୁଲିସ୍, ସିଭିଲ୍ ଆଡମିନିଷ୍ଟ୍ରେସନ୍ ଏବଂ ନଗର ଉନ୍ନୟନର ପୋର୍ଟଫୋଲିଓ ରଖିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଫଡନାଭିସ୍ ମଧ୍ୟ ଶକ୍ତିହୀନ ରହିଥିଲେ।
ବର୍ତମାନ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହୋଇ ସରକାରରେ ପ୍ରାଧାନ୍ୟ ବିସ୍ତାର କରିବେ । ତେଣୁ ସିନ୍ଦେ ଗୃହ ମନ୍ତ୍ରଣାଳୟ ପରି ଏକ ବଡ଼ ବିଭାଗ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ଅଜିତ ପାୱାର ନୂତନ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ହେବ ଏବଂ ଏଥିରେ ଅନେକ ଏନଡିଏ ମୁଖ୍ୟମନ୍ତ୍ରୀ ଏବଂ ନେତା ଯୋଗଦେବେ।
କିଏ ଶୀର୍ଷ ପଦବୀ ପାଇବ ସେ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ସସପେନ୍ସକୁ ଶେଷ କରି ଫଡନାଭିସ୍, ସିନ୍ଦେ ଏବଂ ପାୱାର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ମହାୟୁତି ସରକାର ଗଠନ ଦାବିରେ ଭାଗ ନେଇଥିଲେ।
ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ୍ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟା ସମୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଁ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କୁ ଏହି ସରକାରରେ ଯୋଗଦେବାକୁ ଅନୁରୋଧ କରିସାରିଛି।