ଧାର୍ମିକ ପର୍ଯ୍ୟଟନର ଦ୍ରୁତ ବିକାଶ ସ୍ଥଳ ଥିବା ସହରଗୁଡ଼ିକରେ ଆବାସିକ ଗୃହର ଚାହିଦା ବଢେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଥିବା ପୁରୀରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି । ସହରରେ ନିଜର ଘର ଖଣ୍ଡିଏ କିଣିବା ଲାଗି ଲୋକମାନଙ୍କ ଭିତରେ ଆଗ୍ରହ ବଢିଥିବାରୁ ଘରର ଚାହିଦା ବଢିବା ସହ ଦାମ ମଧ୍ୟ ବଢୁଛି । ମ୍ୟାଜିକବ୍ରିକ୍ସର ଏକ ରିପୋର୍ଟରେ ଦାକି କରାଯାଇଛି ଯେ ପୁରୀରେ ଆବାସିକ ଗୃହର ଚାହିଦା 52 ପ୍ରତିଶତ ବୃଦ୍ଧି ପାଇଛି । ବର୍ଗଫୁଟ ପିଛିା ଦାମ 6114 ଟଙ୍କାରେ ପହଞ୍ଚିଛି । ପୁରୀରେ ବର୍ଷକ ମଧ୍ୟରେ ବର୍ଗଫୁଟ ପିଛା ଦାମ 30 ପ୍ରତିଶତ ବଢିଛି । ପୁରୀରେ ବାସଗୃହ ଚାହିଦାରେ ହୋଇଥିବା ବୃଦ୍ଧି ଦେଶରେ ଦ୍ବିତିୟ ସର୍ବାଧିକ ରହିଛି ।
ରିପୋର୍ଟ ଅନୁଯାୟୀ, ଲୋକମାନେ କେବଳ ନିଜେ ରହିବା ପାଇଁ ଘର କିଣୁନାହାନ୍ତି। କିଛି ଲୋକ ଦୀର୍ଘକାଳୀନ ନିବେଶ ଭାବେ ଘର କିଣୁଥିବା ବେଳେ ଅନ୍ୟ କିଛି ଗ୍ରାହକ ତାହାକୁ ଭଡ଼ା ସୂତ୍ରରେ ଦେବା, ହଲିଡେ ହୋମ୍ କରିବା କିମ୍ବା ସ୍ବଳ୍ପକାଳୀନ ରହଣୀ ଗୃହ ଭାବେ ବ୍ୟବହାର କରିବା ପାଇଁ କିଣୁଛନ୍ତି। ବାସଗୃହରେ ନିବେଶ ଏକ ଆକର୍ଷଣୀୟ ବିକଳ୍ପ ହୋଇପାରିଛି।
ଧାର୍ମିକ ପର୍ଯ୍ୟଟନ ଲାଗି ରିଅଲ ଇଷ୍ଟେଟ୍ର ହଟ୍ସ୍ପଟ୍ ପାଲଟିଥିବା ଅନ୍ୟ ସହରଗୁଡ଼ିକ ହେଉଛି ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ବାରାଣସୀ ଏବଂ ମହାରାଷ୍ଟ୍ରର ଶିରିଡ଼ି। ପ୍ରୟାଗରାଜରେ ବାସଗୃହ ଚାହିଦା ଗତବର୍ଷ ତୁଳନାରେ ୨୮ ପ୍ରତିଶତ ବଢ଼ିଥିବା ବେଳେ ବର୍ଗଫୁଟ ପିଛା ହାରାହାରି ମୂଲ୍ୟ ବର୍ଷକ ଭିତରେ ୧୨୨ ପ୍ରତିଶତ ବୃଦ୍ଧି ପାଇ ୬୬୪୫ ଟଙ୍କା ହୋଇଛି। ବାରାଣସୀର ବର୍ଗଫୁଟ ପିଛା ଘର ଚାହିଦା ୧୮ ପ୍ରତିଶତ ବଢ଼ିଥିବା ବେଳେ ବର୍ଗଫୁଟ ପିଛା ଦାମ୍ ୬୧୨୮ ଟଙ୍କା ରହିଛି। ଗତବର୍ଷ ତୁଳନାରେ ବାରାଣସୀରେ ଆବାସିକ ଘର ଦାମ୍ କିନ୍ତୁ ୫.୧୫ ପ୍ରତିଶତ ହ୍ରାସ ପାଇଛି। ଏହାର କାରଣ ହେଉଛି ଚାହିଦା ତୁଳନାରେ ଘର ସଂଖ୍ୟା ଅଧିକ ହୋଇଯାଇଛି। ଶିରିଡ଼ି ସାଇବାବାଙ୍କ ମନ୍ଦିର ଥିବା ମହାରାଷ୍ଟ୍ରର ସହର ଶିରିଡ଼ିରେ ବାସଗୃହ ଚାହିଦା ସର୍ବାଧିକ ୬୭ ପ୍ରତିଶତ ବଢ଼ିଛି। ସେଠାରେ ଘରଗୁଡ଼ିକର ବର୍ଗଫୁଟ ପିଛା ଦାମ୍ ୪୦୨୮ ଟଙ୍କା ରହିଛି ବୋଲି ମ୍ୟାଜିକ୍ବ୍ରିକ୍ସ ତଥ୍ୟରୁ ଜଣାପଡ଼ିଛି।