ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସକାଳ ୯ଟାରେ ରାଜଭବନରୁ ବାହାରିବେ। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୂର୍ବାହ୍ନ ୯ଟା ୪୫ମିନଟରେ ପୁରୀସ୍ଥିତ ତାଳବଣୀଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରେ ପୂର୍ବାହ୍ଣ ୧୦ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଏହାପରେ ୧୦.୫୦ରେ ପୁରୀସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୩୦ମିନିଟ ସମୟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ। ରାଜଭବନଠାରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ମହାମହିମ ଶ୍ରୀମତୀ ମୁର୍ମୁ ରାଜ୍ୟରେ ୫ ଦିନ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିଶେଷ କରି ନିଜ ଜିଲ୍ଲାର ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ। ମଧ୍ୟାହ୍ନ ୧୨ଟା ୧୫ମିନିଟରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ।